ଗୁଣପୁର,୧୦।୨(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଗଣେଶ ନଗରଠାରେ ରହୁଥିବା ଜଣେ ନବବଧୂଙ୍କ ରବିବାର ବିଳମ୍ବିତ ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ରଶ୍ମି ରଞ୍ଜନୀ ବଡ଼କୁମାର। ତେବେ ଯୌତୁକ ପାଇଁ ଝିଅକୁ ହତ୍ୟାକରାଯାଇଥିବା ମୃତ ମହିଳାଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର ସୋମବାର ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ବାମୀ, ଶାଶୁ, ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରଥିବା ରାୟଗଡ଼ା ଅତିରିକ୍ତ ଏସ୍ପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।
ମୃତକଙ୍କ ବାପା କୁଞ୍ଜଙ୍କ ଅଭିଯୋଗ ଅନୁଯାୟୀ, ଝିଅ ଅସୁସ୍ଥ ଥିବା କହି ଜ୍ୱାଇଁଙ୍କ ପରିବାର ଲୋକେ ତାଙ୍କୁ ରବିବାର ବିଳମ୍ବିତ ରାତିରେ ଡାକିଥିଲେ। ତେବେ ସେମାନେ ଆସି ପହଞ୍ଚତ୍ବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଝିଅକୁ ଯୌତୁକଜନିତ ହତ୍ୟା କରାଯାଇଥିବା ନେଇ ସେ ଗୁଣପୁର ଥାନାରେ ଏତଲା ଦେଇଛନ୍ତି। ଝିଅକୁ ବିବାହଦେବା ପରଠୁ ଶ୍ୱଶୁରଘର ଲୋକେ ଯୌତୁକଜନିତ ନିର୍ଯାତନା ଦେଉଥିବା ସେ ଏତଲାରେ ଦର୍ଶାଇଛନ୍ତି । ପୋଲିସ ଘଟଣାର ତଦନ୍ତକରିବା ସହ ମୃତଦେହ ଜବତ କରି ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି।
ସୂଚନାରୁ ଜଣାଯାଏ, ଗଜପତି ଜିଲା ପାରଳାଖେମୁଣ୍ଡି ସହର ବିଦ୍ୟାନଗର ଅଞ୍ଚଳର ରଶ୍ମିରଞ୍ଜନୀ ୩ ଜୁଲାଇ ୨୦୨୪ରେ ରାୟଗଡ଼ା ଜିଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝିଙ୍କ ପୁଅ ଦେବାଶିଷ ମାଝିଙ୍କୁ ବିବାହ କରିଥିଲେ। ନବବଧୂ ଜଣକ ଜଣେ ପୋଷ୍ଟାଲ କର୍ମଚାରୀ ଥିବା ବେଳେ ଦେବାଶିଷ ପୋଲିସ କନଷ୍ଟେବଲ ଚାକିରି କରିଥିଲେ।