Categories: ଜାତୀୟ

ସୁଖୁ ସରକାରଙ୍କ ଅଡ଼ୁଆ ବଢ଼ାଇଲେ ବିକ୍ରମାଦିତ୍ୟ

ଶିମଲା,୩।୩: ହିମାଚଳପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ଫେସ୍‌ବୁକ ବାୟୋରୁ ସରକାରୀ ପଦବୀ ହଟାଇଦେଇ ପୁଣି ଥରେ କଂଗ୍ରେସ ନେତୃତ୍ୱ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ପୂର୍ବରୁ ବିକ୍ରମାଦିତ୍ୟଙ୍କ ଫେସ୍‌ବୁକ୍‌ ବାୟୋରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ଲେଖାଥିଲା। ତାହାକୁ ହଟାଇ ଦେଇ ସେ କେବଳ ‘ହିମାଚଳର ସେବକ’ ବୋଲି ଲେଖିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହାରିଯିବା ପରେ ସୁଖବିନ୍ଦର ସିଂ ସୁଖୁ ସରକାର ଭାଙ୍ଗିଯିବା ଆଶଙ୍କା ପ୍ରକାଶ ପାଇଥିଲା। ସେବେଠାରୁ ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଲଢ଼େଇ କରୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ଶୁକ୍ରବାର ଦିଲ୍ଲୀ ଯିବା ପୂର୍ବରୁ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କୁ ଭେଟିଥିଲେ। ଦିଲ୍ଲୀରେ ସେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଛି। ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ରାଜିନ୍ଦର ରାଣା କହିଛନ୍ତି, ଅନୂ୍ୟନ ୯ କଂଗ୍ରେସ ବିଧାୟକ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି। ତାଙ୍କ ସମେତ ଅଯୋଗ୍ୟ ଘୋଷିତ ହୋଇଥିବା ୬ ବିଧାୟକ କଂଗ୍ରେସକୁ ଫେରିବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି।

Share