ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ସ୍ବାଗତ ଜଣାଇବା ସହ ଲୋକଙ୍କ ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦେଇଥିଲେ। ଖବରକାଗଜ ବିକ୍ରେତାରୁ ସରପଞ୍ଚ ହେବା ପଛରେ ପଞ୍ଚାୟତବାସୀଙ୍କ ସ୍ନେହ, ପ୍ରେରଣା ଏବଂ ଭଲ ପାଇବା ବୋଲି ଗୌରାଙ୍ଗ କହିଛନ୍ତି। ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ସେତେବେଳେ ସେ ବାପାଙ୍କ ସହ ନରସିଂହପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଅଜ୍ଞତାବଶତଃ ସେ ସରପଞ୍ଚଙ୍କ ଚେୟାରରେ ବସି ପଡ଼ିଥିଲେ। ସରପଞ୍ଚ ଜଣଙ୍କ ତାଙ୍କ କାନ ମୋଡ଼ି ଦେଇଥିଲେ। ସେବେଠାରୁ ଯେଉଁଦିନ ହେଲେ ବି ସରପଞ୍ଚ ସିଟ୍‌ରେ ବସିବେ ବୋଲି ତାଙ୍କର ସ୍ବପ୍ନ ରହିଥିଲା। ତାଙ୍କ ସ୍ବପ୍ନ ପୂରଣ ହୋଇଥିବା ଗୌରାଙ୍ଗ କହିଛନ୍ତି।

Share