ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ରବସ୍ଥା ଚିନ୍ତାଜନକ ରହିଛି । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡି ଯାଇଥିବାରୁ ଆଗାମୀ ୨୪ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଦୁଇଦିନ ତଳେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଥିଲା କି ଟ୍ରମ୍ପଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି । ଏମିତିକି ହସ୍ପିଟାଲ ଯିବା ସମୟରେ ଟ୍ରମ୍ପ କହିଥିଲେ ମୁଁ ଶୀଘ୍ର ଫେରିବି । କାରଣ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଆମେରିକାବାସୀଙ୍କୁ ତାଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଡାକ୍ତର ମଧ୍ୟ କହିଥିଲେ ରାଷ୍ଟ୍ରପତିଙ୍କ ମାନସିକତା ଖୁବ୍ ଭଲ ରହିଛି ଖୁବ୍‌ଶୀଘ୍ର ସେ ସୁସ୍ଥ ହୋଇଯାଇପାରନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୩ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରଭାବ ପକାଇ ପାରେ ବୋଲି ଆଲୋଚନା ହେଉଛି ।

Share