ଭୟଙ୍କର ହେବ ଆଗାମୀ ମହାମାରୀ

ଲଣ୍ଡନ, ୭ା୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍‌-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶି ସଂକ୍ରାମକ ଓ ଘାତକ ହୋଇପାରେ। କୋଭିଡ୍‌ ମହାମାରୀଠାରୁ ଶିକ୍ଷା ନେଇ ଆଗାମୀ ଦିନରେ ଏଥିପାଇଁ ବିଶ୍ୱ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା ଭାକ୍ସିନ ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ଅନ୍ୟତମ ବୈଜ୍ଞାନିକ ସାରା ଗିଲବର୍ଟ କହିଛନ୍ତି। ଜୋନ୍ସ ହପ୍‌କିନ୍‌ସ ୟୁନିଭର୍ସିଟି ଅନୁସାରେ କରୋନାରେ ୫୨,୭୩,୩୧୦ ଲୋକଙ୍କ ମୃତ୍ୟୁ ଘଟିଛି। ବିଶ୍ୱକୁ ଟ୍ରିଲିୟନ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି। କୋଟି କୋଟି ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। କିନ୍ତୁ ଆମ ଜୀବନ ଓ ଜୀବିକାକୁ ପ୍ରଭାବିତ କରିବାରେ ଏହା ଶେଷ ଭୂତାଣୁ ନୁହେଁ। ଆଗକୁ ଆହୁରି କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। ତେଣୁ ଏବେଠାରୁ ହିଁ ଭବିଷ୍ୟତର ମହାମାରୀ ସହ ଲଢ଼ିବା ପାଇଁ ସଭିଏଁ ପ୍ରସ୍ତୁତ ବୋଲି ବିଶ୍ୱ ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଥିବା ଗିଲବର୍ଟ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ମହାମାରୀର ମୁକାବିଲା ନିମନ୍ତେ ଏକ ସ୍ଥାୟୀ ଫଣ୍ଡିଂ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି କହିଛି। ଏହି ପ୍ରସ୍ତୁତି ପାଇଁ ବର୍ଷକୁ ଅତିକମ୍‌ରେ ୧୦ ବିଲିୟନ ଡଲାର ଅର୍ଥ ମହଜୁଦ ରଖିବାକୁ ପଡ଼ିବ ବୋଲି କମିଟି ପ୍ରସ୍ତାବ ଦେଇଛି।

ଅଷ୍ଟ୍ରେଲିଆରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଅଷ୍ଟ୍ରେଲିଆରେ ଦ୍ରୁତଗତିରେ ଓମିକ୍ରନ ମାମଲା ବଢ଼ିଚାଲିଛି। ଦେଶର ସବୁଠାରୁ ବଡ଼ ସହର ସିଡ୍‌ନୀରେ ଗୋଟିଏ ଦିନରେ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନ୍ୟୁ ସାଉଥ ଓ୍ବେଲ୍ସରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାରେ ଥିବା ଯାତ୍ରୀମାନେ ବିମାନରେ ଆସିବା ପରଠାରୁ ସଂକ୍ରମଣ ବ୍ୟାପକ ହୋଇଛି। ଦୁଇଟି ସ୍କୁଲ ଏବଂ ଜିମ୍‌ ସେଣ୍ଟରରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନେକ ନମୁନାର ଜିନୋମ ସିକ୍ୱେନ୍ସିଂ ଚାଲିଛି। ତେଣୁ ଅଷ୍ଟ୍ରେଲିଆରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ବିଶେଷ କରି ଦକ୍ଷିଣ ଅଷ୍ଟ୍ରେଲିଆରେ ସ୍ଥିତି ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟଗୁଡ଼ିକ ବିମାନବନ୍ଦରରେ କଡ଼ା କଟକଣା ଜାରି କରିଛନ୍ତି।

 

 

Share