Categories: ଖେଳ

ନେମାର ଦୋଷମୁକ୍ତ

ବାର୍ସିଲୋନା,୧୪।୧୨(ଏପି): ସ୍ପାନିଶ କୋର୍ଟ ଏକ ଜାଲିଆତି ମାମଲାରେ ଫୁଟ୍‌ବଲ ଷ୍ଟାର ନେମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ବ୍ରାଜିଲର ଏହି ଖେଳାଳି ସାଣ୍ଟୋସରୁ ବାର୍ସିଲୋନା ବଦଳି ହୋଇଥିଲେ। ଏଥିରେ ଦୁର୍ନୀତି ଓ ଜାଲିଆତି ହୋଇଥିବା ଦର୍ଶାଇ ବ୍ରାଜିଲର ଡିଆଇଏସ୍‌ ନାମକ ଏକ କମ୍ପାନୀ ତରଫରୁ ନେମାର, ତାଙ୍କ ପିତା ଏବଂ ସାଣ୍ଟୋସ୍‌ ଓ ବାର୍ସିଲୋନାର ପୂର୍ବତନ ସଭାପତିଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏମାନେ ବଦଳିରେ ହୋଇଥିବା ପ୍ରକୃତ କାରବାରକୁ ଜାଣିଶୁଣି ଲୁଚାଇ ରଖିଥିଲେ। କାରଣ ଡିଆଇଏସ୍‌ ଖେଳାଳି ଅଧିକାରର ଆଂଶିକ ମାଲିକାନା ରହିଛି। ତେଣୁ ବଦଳି କାରବାରରୁ କିଛି ଅଂଶ କମ୍ପାନୀକୁ ଦେବାକୁ ପଡ଼ିବ। ତେବେ ବଦଳି କାରବାରରେ କୌଣସି ଜାଲିଆତି ଅବା ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇପାରି ନାହିଁ। ସୂଚନାଯୋଗ୍ୟ, ଡିଆଇଏସ୍‌ ପ୍ରଥମେ ଏହି ମାମଲାରେ ୩୦ବର୍ଷୀୟ ନେମାରଙ୍କୁ ୫ବର୍ଷ ଜେଲ୍‌ ପାଇଁ ନିବେଦନ କରିଥିଲା। ରାଜ୍ୟ ପ୍ରସିକ୍ୟୁଟରମାନେ ଓହରିଯିବାରୁ ଡିଆଇଏସ୍‌ର ଓକିଲମାନେ ସେମାନଙ୍କ ଜେଲଦଣ୍ଡ ଦାବିକୁ ଅଢେଇ ବର୍ଷକୁ ହ୍ରାସ କରିଦେଇଥିଲେ। ସୂଚନାଯୋଗ୍ୟ, ଡିଆଇଏସ୍‌ର ମାଲକାନାରେ ବ୍ରାଜିଲରେ ଅନେକ ସୁପର ମାର୍କେଟ ରହିଛି। ଏହି କମ୍ପାନୀ ୨୦୦୯ରେ ନେମାରଙ୍କ ସତ୍ତ୍ୱାଧିକାର ହାସଲ କରିଛି। ନେମାରଙ୍କ ଯଦି ଗୋଟିଏ ଫୁଟ୍‌ବଲ ଟିମ୍‌କୁ ବଦଳି ହୁଅନ୍ତି ତେବେ ଏ ବାବଦରେ ହୋଇଥିବା ଆର୍ଥିକ କାରବାରର ୪୦ପ୍ରତିଶତ ଏହି କମ୍ପାନୀ ପାଇବା କଥା। ଡିଆଇଏସ୍‌ କହିଛି ବାର୍ସିଲୋନା ଓ ସାଣ୍ଟୋସ ମଧ୍ୟରେ ଖେଳାଳି ବଦଳରେ ୧୭ ନିୟୁତ ୟୁରୋ କାରବାର ହୋଇଥିବା ପ୍ରଥମେ ଘୋଷଣା କରାଯାଇଥିଲା। ତଦନୁସାରେ କମ୍ପାନୀକୁ ତା’ର ଭାଗ ମିଳିଛି। ହେଲେ ପରେ ସେମାନେ ଶୁଣିିବାକୁ ପାଇଥିଲେ ଯେ ପ୍ରକୃତରେ ଟ୍ରାନ୍ସଫର ପରିମାଣ ଫି’ ୮୨ ନିୟୁତ ୟୁରୋ।

Share