Categories: ଖେଳ

ନେମାରଙ୍କ ଡାହାଣ ଗୋଇଠିରେ ଆଘାତ

ଲୁସେଲ (କାତାର),୨୬।୧୧ (ଏପି): ବ୍ରାଜିଲ ଫୁଟ୍‌ବଲ ଦଳର ଷ୍ଟାର ଖେଳାଳି ନେମାରଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଛି। ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କର ଚିକିତ୍ସା ଚାଲିଥିବା ବ୍ରାଜିଲ ଟିମ୍‌ ଡାକ୍ତର ରୋଡ୍ରିଗୋ ଲାସ୍‌ମାର କହିଛନ୍ତି। ସର୍ବିୟା ବିପକ୍ଷ ୨-୦ ବିଜୟ ମ୍ୟାଚ ପରେ ନେମାର ବେଞ୍ଚ୍‌ରେ ବସି କାନ୍ଦୁଥିବା ଲକ୍ଷ୍ୟ କରାଯାଇଥିଲା। ତାଙ୍କ ଗୋଇଠି ଫୁଲି ଯାଇଥିଲା। ସେ ସ୍ବାଭାବିକ ଚାଲିପାରୁ ନ ଥିଲେ। ତାଙ୍କର ପ୍ରଥମେ ବରଫ ଚିକିତ୍ସା ଏବଂ ପରେ ଫିଜିଓଥେରାପି କରାଯାଇଥିଲା। ତାଙ୍କର ବର୍ତ୍ତମାନ କୌଣସି ଟେଷ୍ଟ କରାଯାଇ ନାହିଁ। ଆବଶ୍ୟକ ପଡ଼ିଲେ କରାଯିବ। ତାଙ୍କ ଉପରେ ନଜର ରଖାଯାଇଛି। ଶନିବାର ଅଧିକ କିଛି ଜଣାପଡ଼ିବ। ବିଶ୍ୱକପ୍‌ରେ ନେମାର ତାଙ୍କ ଖେଳ ଜାରି ରଖିବେ ବୋଲି ବ୍ରାଜିଲ କୋଚ୍‌ ଟିଟେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଇଞ୍ଜୁରି କେତେ ଗୁରୁତର ସେ ସମ୍ପର୍କରେ ଏବେ କହିହେବ ନାହିଁ। ସୂଚନାଯୋଗ୍ୟ, ନେମାର ୨୦୧୪ ନିଜ ଦେଶରେ ବିଶ୍ୱକପ୍‌ ଖେଳୁଥିବା ବେଳେ କଲମ୍ବିଆ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚରେ ଆଘାତପ୍ରାପ୍ତ ହୋଇଥିଲେ। ସେ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଷ୍ଟ୍ରେଚର ସହାୟତାରେ ପଡ଼ିଆ ବାହାରକୁ ନିଆଯାଇଥିଲା।

Share