ଶୀତରେ ସତର୍କ ନ ରହିଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ୱର, ୨୯। ୧୦ (ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇନାହିଁ। ଶୀତ ଦିନରେ ଏହି ପର୍ଯ୍ୟାୟ ସଂକ୍ରମଣ ହେବାର ଅନୁମାନ କରାଯାଉଛି। ତେଣୁ ଶୀତ ଦିନ ପାଇଁ ସତର୍କତା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି। ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଅଧିକ ସମ୍ଭାବନା ରହିଛି। କାରଣ ସେଠାରେ ପ୍ରଥମେ ସଂକ୍ରମଣ ପିକ୍‌ ସ୍ତରରେ ପହଞ୍ଚତ୍ବା ପରେ ହ୍ରାସ ପାଇଥିଲା। ଯଦି ଆଗକୁ ସେଠାରେ ସଂକ୍ରମଣ ବଢ଼େ, ତାହାକୁ ଦ୍ୱିତୀୟ ପର୍ଯ୍ୟାୟ କହିପାରିବା। ସେହିପରି ଭୁବନେଶ୍ୱରରେ ପୁଣି ସଂକ୍ରମଣ ବଢ଼ିଲେ, ତାହାକୁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିପାରିବା। ଓଡ଼ିଶାକୁ ପୁଣି ସଂକ୍ରମଣ ଲେଉଟିଲେ ବହୁ ଅସୁବିଧା ହେବ। ସଂକ୍ରମଣ ସଂଖ୍ୟା ବଢ଼ିଲେ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ଉପରେ ପ୍ରଭାବ ପକାଇବ। ସେଥିପାଇଁ ଆମକୁ ଯତ୍ନବାନ ହେବାକୁ ପଡ଼ିବ। କରୋନାର ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପଡ଼ିବ। ଆମେ ସତର୍କ ରହିଲେ କରୋନାର ଦ୍ୱିତୀୟ ସଂକ୍ରମଣକୁ ଏଡ଼ାଇ ଦେଇ ପାରିବା ବୋଲି ଡା. ମିଶ୍ର କହିଛନ୍ତି।
ରାଜ୍ୟରେ ଶେଷ ୨୪ ଘଣ୍ଟାରେ ଆଉ ୧,୫୪୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୮୬ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଥିବାବେଳେ ୬୫୪ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୦୮ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୧୧୧ ଓ ଅନୁଗୋଳ ୧୦୦ଜଣ ରହିଛନ୍ତି। ବାକିସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ବୌଦ୍ଧ ଜିଲାରେ ସର୍ବନିମ୍ନ ୩ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫,୪୮୨କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ମୋଟ ୪୪,୨୨,୧୬୪ ନମୁନା ପରୀକ୍ଷା ହୋଇଥିବାବେଳେ ୬.୪୬% କରୋନା ପଜିଟିଭ୍‌ ବାହାରିଥିତ୍ବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଇଛି।
ସେହିପରି ପୁଣି ୧୨ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨ଜଣ ଲେଖାଏ ଥିବାବେଳେ ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼, ଗାମ, କଟକ, ସମ୍ବଲପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଫଳରେ ଏବେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୨୮୪କୁ ବୃଦ୍ଧି ପାଇଛି।

Share