Categories: ଜାତୀୟ

୯ବର୍ଷ ପୂର୍ବେ ବ୍ୟାନ ହୋଇଥିଲେ ରାଟ ମାଇନର୍ସ, ଏବେ ୪୧ଶ୍ରମିକଙ୍କ ପାଇଁ ସାଜିଲେ ଦେବଦୂତ

ନୂଆଦିଲ୍ଲୀ,୨୮।୧୧: ଆଉ ମାତ୍ର ୨ମିଟର ଦୂରରେ ୪୧ ଶ୍ରମିକ। ରେସ୍କ୍ୟୁ ପରେ ସେମାନଙ୍କୁ କରାଯିବ ଏୟାର ଲିଫ୍ଟ। ବାହାରେ ପ୍ରସ୍ତୁତ ହୋଇଗଲାଣି ଆମ୍ବୁଲାନ୍ସ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ଅପରେଶନ ସଫଳ ହେବାକୁ ଯାଉଛି। ମେଶିନ ଫଶି ରହିବା ଫଳରେ ରେସ୍କ୍ୟୁ ଟିମ ଏବେ ରାଟ ହୋଲ ମାଇନିଂର ସହାୟତା ନେଇଛି। ଏହି ରାଟ ମାଇନର୍ସ ଡ୍ରିଲିଂ କାମରେ ଲାଗି ପଡିଛନ୍ତି। ପୂର୍ବରୁ ଉଦ୍ଧାର କାର୍ଯ୍ୟରେ ସେନା, ଏନଡିଆରଏଫ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ହୋଇଥିଲେ ମଧ୍ୟ ସବୁ ପ୍ରକାର ଚେଷ୍ଟା ଫେଲ ମାରିଥିଲା। ତେବେ ଏହି ସମୟରେ ଦେବଦୂତ ସାଜିଛନ୍ତି ରାଟ ମାଇନର୍ସ।
ସୂଚନାଯୋଗ୍ୟ, ସୁଡଙ୍ଗରେ ୪୧ମିଟର ପର୍ଯ୍ୟନ୍ତ ଖୋଳା ସରିଥିଲା। ଠିକ୍‌ ୧୦-୧୨ମିଟର ଡ୍ରିଲିଂ ବାକିଥିବାବେଳେ ଅଚାନକ ମେଶିନ ଖରାପ ହୋଇଯାଇଥିଲା। ଏହି ସମୟରେ ଭଗବାନଙ୍କ ଅବତାର ରୂପେ ଆସିଥିଲେ ରାଟ ମାଇନର୍ସ। ସେମାନେ ମେଶିନ ଛାଡିଥିବା ଅଞ୍ଚଳରୁ ମାନୁଆଲ ଡ୍ରିଲିଂ କାମ ଆରମ୍ଭ କରିଛନ୍ତି।

ରାଟ ହୋଲ ମାଇନିଂ ପ୍ରକ୍ରିୟା ଦ୍ୱାରା ରାଟ ମାଇନର୍ସମାନେ କୋଇଲା ବାହାର କରିବା ପାଇଁ ସଂକୀର୍ଣ୍ଣ ଗର୍ତ୍ତ ଭିତରକୁ ଯାଇଥାନ୍ତି। ବିଶେଷ କରି ମେଘାଳୟରେ ଏହି ପ୍ରକ୍ରିୟାକୁ ବ୍ୟବହାର କରାଯାଇଥାଏ। ମାଇନର୍ସ ଦଉଡି ଓ ବାଉଁଶ ସିଡି ବ୍ୟବହାର କରି ଗାତ ଭିତରକୁ ଓହ୍ଲାଇଥାନ୍ତି। ରାଟ ହୋଲ ମାଇନିଂ ସାଧାରଣତଃ ସଂକୀର୍ଣ୍ଣ ସୁଡଙ୍ଗରେ କରାଯାଇଥାଏ। ଏହାଦ୍ୱାରା ମାଇନର୍ସ ଚଉଡାର ଗାତ ଖୋଳି ଶହ ଶହ ଫୁଟ ତଳକୁ ପଶିଥାନ୍ତି।
କିନ୍ତୁ ୨୦୧୪ରେ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) ଖନନକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ଏନଜିଟି ଦ୍ୱାରା ଏହା ଉପରେ ନିଷେଧାଦେଶ ଜାରି କରିବା ସତ୍ତ୍ୱେ ଏବେବି ଏହା ବେଆଇନ ଭାବେ ଚାଲୁ ରହିଛି। ପ୍ରତିବର୍ଷ ମେଘାଳୟରେ ରାଟ ହୋଲ ମାଇନିଗଂ ଦ୍ୱାରା ମାଇନର୍ସଙ୍କୁ ନିଜ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ସେଥିପାଇଁ ଏହାକୁ ନେଇ ବିବାଦ ଜାରି ରହିଛି। କିନ୍ତୁ ସବୁ ପରିସ୍ଥିତି ସତ୍ତ୍ୱେ ସବୁ କୌଶଳ ଫେଲ ମାରିବା ଯୋଗୁ ରାଟ ମାଇନର୍ସଙ୍କ କଠିନ ପରିଶ୍ରମ ୪୧ଟି ଜୀବନ ବଞ୍ଚେଇବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି।

Share