Categories: ଜାତୀୟ

ବଢିଲା ବ୍ରିଜ୍‌ଭୂଷଣଙ୍କ ସମସ୍ୟା, ବେଆଇନ ଖନନ ଅଭିଯୋଗର ଯାଞ୍ଚ କରିବ ଏନ୍‌ଜିଟି

ଲକ୍ଷ୍ନୌ, ୩।୮ଷ: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବେଆଇନ ଖନନ ମାମଲାର ତଦନ୍ତ ପାଇଁ ଗୁରୁବାର ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୋଣ୍ଡାର ୩ଟି ଗ୍ରାମରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବେଆଇନ ଖଣି ଖନନ ଅଭିଯୋଗ ହୋଇଥିଲା।

ଅଭିଯୋଗକାରୀ ଗୋଣ୍ଡାର ମଜାରଥ, ଜୈତପୁର ଏବଂ ନବାବଗଞ୍ଜ ଗ୍ରାମରେ ବେଆଇନ ବାଲି ଖନନ କରିବା ସହ ପ୍ରତିଦିନ ୭୦୦ରୁ ଅଧିକ ଓଭରଲୋଡ ଟ୍ରକ୍‌ ଯୋଗେ ରାସ୍ତା ଓ ବ୍ରିଜ ନଷ୍ଟ ହୋଇଥିବାର ଅଭିଯୋଗ କରିଛନ୍ତି। ଏଥିପାଇଁ ଜୁଡିସିଆଲ ମେମ୍ବର ଜଷ୍ଟିସ ଅରୁଣ କୁମାର ତ୍ୟାଗି ଏବଂ ବିଶେଷଜ୍ଞ ସଦସ୍ୟ ଏ ସୈନ୍ଥିଲ ବେଲଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଏହି ମାମଲା ଶୁଣିବା ପରେ ଏହା ପରିବେଶ ସହ ଜଡିତ ଥିବା ଜଣାପଡିଛି। ତେଣୁ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ମିଳିତ କମିଟି ଗଠନ କରାଯିବ।

ଏନଜିଟି ଅନୁସନ୍ଧାନ ପାଇଁ ଏକ ମିଳିତ କମିଟି ଗଠନ କରିଛି ଯେଉଁଥିରେ ପରିବେଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି), ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନ, ୟୁପି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଗୋଣ୍ଡାର ଡିଏମ ସାମିଲ ରହିଛନ୍ତି। ବେଆଇନ ଖଣି ଏବଂ ଓଭରଲୋଡ ଟ୍ରକ୍‌ ଯୋଗୁଁ ପରିବେଶରେ ହୋଇଥିବା କ୍ଷୟକ୍ଷତିର କମିଟି ଅନୁସନ୍ଧାନ କରିବ।

Share