Categories: ଜାତୀୟ

ଏନ୍‌ଜିଟିର ନଦୀ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ, ୨୩।୧୧(ପି.ଟି.): ଦେଶର ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକର ସୁରକ୍ଷା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଗୁଡ଼ିକର ସୁରକ୍ଷା ଲାଗି ନୋଡାଲ ଏଜେନ୍ସି ଗଠନ କରିବାକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବମାନଙ୍କ ତତ୍ତ୍ୱାବଧାନରେ ଏହି ଏଜେନ୍ସିଗୁଡ଼ିକ ଜାନୁୟାରୀ ୩୧ ସୁଦ୍ଧା ବୈଠକ କରିବାକୁ କୁହାଯାଇଛି। ସେମାନେ ସ୍ଥିତି ସମୀକ୍ଷା କରିବା ସହ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଯୋଜନା କରିବେ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବେ। ଦେଶର ୩୫୧ଟି ନଦୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଗଠିତ କେନ୍ଦ୍ରୀୟ ଅନୁଧ୍ୟାନ କମିଟିକୁ ମଧ୍ୟ ନଦୀ ଓ ହ୍ରଦଗୁଡ଼ିକର ପୁନରୁଦ୍ଧାର ପାଇଁ ନିଆଯାଉଥିବା ପଦକ୍ଷେପର ଯାଞ୍ଚ କରିବାକୁ କୁହାଯାଇଛି। ଉକ୍ତ କମିଟି ବର୍ଷକୁ ଅନ୍ତତଃ ୩ ଥର ରାଜ୍ୟଗୁଡ଼ିକର ଜଳ ଉତ୍ସର ରକ୍ଷଣାବେକ୍ଷଣ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିବେ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରଥମ ଅନୁଧ୍ୟାନ କରିବାକୁ କୁହାଯାଇଛି।
ରାଜ୍ୟ ସରକାର ଜଳ ଉତ୍ସଗୁଡ଼ିକର ଟ୍ରଷ୍ଟି ଭାବେ ସୁରକ୍ଷା ଦେବା ଦିଗରେ କାର୍ଯ୍ୟ କରିବେ ବୋଲି ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଏ.କେ. ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। ନଦୀ, ହ୍ରଦଗୁଡ଼ିକର ସୁରକ୍ଷା ଦିଗରେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଉପଯୁକ୍ତ ପଦକ୍ଷେପ ନିଆଗଲେ ଏହା କେବଳ ନଦୀ ଓ ଅନ୍ୟ ଜଳ ଉତ୍ସଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବ ନାହିଁ, ବରଂ ପର୍ଯ୍ୟାପ୍ତ ଜଳ ମିଳିବା ସହ ଜଳଜୀବ ଓ ମାଇକ୍ରୋକ୍ଲାଇମେଟ୍‌ର ସୁରକ୍ଷା ହୋଇପାରିବ। ହରିୟାଣାରେ ରହୁଥିବା ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ କଲୋନେଲ୍‌ ସର୍ବଦମନ ସିଂ ଓବେରଇଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଥିଲେ। ସେ ଗୁରୁଗ୍ରାମର ଘାଟ ହ୍ରଦ ସମେତ ଅନ୍ୟ ୨୧୪ ନଦୀ, ହ୍ରଦ ଓ ପ୍ରାକୃତିକ ଜଳ ଉତ୍ସଗୁଡ଼ିକର ସୁରକ୍ଷା ପାଇଁ ଆବେଦନ କରିଥିଲେ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ପିଟିଶନର ପରିସରକୁ ସାରା ଦେଶକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share