ବର୍ଷାରେ ବେହାଲ ଏନ୍‌ଏଚ୍‌ ୫୫

ଢେଙ୍କାନାଳ, ୫।୭(ରତନ ନାୟାର): ଧାର୍ଯ୍ୟ ସମୟ ବିତିଲା। ହେଲେ ୫୫ନଂ. ଜାତୀୟ ରାଜପଥ କାର୍ଯ୍ୟ ଶେଷ ହେଲାନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାବେଳେ ବର୍ଷାରେ ବେହାଲ ହୋଇପଡ଼ିଛି ୪ ଜିଲାବାସୀଙ୍କ ଜୀବନରେଖା।
କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଅନ୍ୟତମ ବ୍ୟସ୍ତବହୁଳ ତଥା ଗୁରୁତ୍ୱପୂର୍ଣ୍ଣ ୫୫ନଂ. ଜାତୀୟ ରାଜପଥ କେବେ ପୂର୍ଣ୍ଣାଙ୍ଗ ରୂପ ନେବ, ତାହାର ଉତ୍ତର କାହାରି ପାଖରେ ନାହିଁ। ଏନ୍‌ଏଚ୍‌ଏଆଇ ବାରମ୍ବାର ଦିନ ଗଡ଼ାଇ ଚାଲିଥିବାବେଳେ ମୌସୁମୀ ବର୍ଷାରେ ଖାଲଖମାରେ ଭର୍ତ୍ତି ହୋଇଥିବା ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ୨୦୧୮ରୁ ଅଦ୍ୟାବଧି ଯାତନା ଭୋଗୁଛନ୍ତି ୪ ଜିଲାର ବାସିନ୍ଦା।
ଜାତୀୟ ରାଜପଥ ୫୫ ସମ୍ପ୍ରସାରଣ କାର୍ଯ୍ୟ ଶେଷ କରିବା ଲାଗି ଗତ ଜୁନ୍‌ରେ ଜିଲା ପ୍ରଶାସନ, ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୩୦ ସୁଦ୍ଧା ରାସ୍ତା କାମ ଏବଂ ଡିସେମ୍ବର ସୁଦ୍ଧା ସମସ୍ତ ଓଭରବ୍ରିଜ କାମ ଶେଷ ହେବ ବୋଲି ଏନ୍‌ଏଚ୍‌ଏଆଇ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜୁନ୍‌ ଶେଷ ହୋଇଯାଇଥିବାବେଳେ ୫୦% କାମ ମଧ୍ୟ ସରି ନ ଥିବା ଜଣାପଡ଼ିଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତରେ ଏବେ ବର୍ଷା ପାଣି ଜମି ରହୁଛି। ଫଳରେ କୌଣସି ସମୟରେ ଦୁର୍ଘଟଣା ଘଟି ଯେ ଧନଜୀବନ ହାନି ନ ହେବ, ସେହି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ବିଶେଷ କରି ଓଡ଼ାପଡ଼ା ବ୍ଲକରେ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ମୋଟଙ୍ଗା ଅଞ୍ଚଳରେ ଅସରାଏ ବର୍ଷାହେଲେ ୫୫ନଂ. ଏନ୍‌ଏଚ୍‌ରେ ଅଣ୍ଟାଏ ଉଚ୍ଚର ପାଣି ଚାଲୁଛି। ଯାନବାହନ ଚଳାଚଳ ଠପ୍‌ ହୋଇଯାଉଛି। ସେହିପରି ଓଭରବ୍ରିଜ୍‌ ଓ ହାତୀ ଚଲାପଥ ନିର୍ମାଣ କେବେ ସରିବ ସେ ସମ୍ପର୍କରେ ମଧ୍ୟ ଏନ୍‌ଏଚ୍‌ଏଆଇ ଅଧିକାରୀ ସ୍ପଷ୍ଟ କରୁନାହାନ୍ତି। ଫଳରେ ୨୦୨୩ ସୁଦ୍ଧା ରାଜପଥ ନିର୍ମାଣ କାର୍ଯ୍ୟ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଆବଶ୍ୟକ ହେଲେ ଦଳମତ ନିର୍ବିଶେଷରେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଚେତାବନୀ ଦେଇଛନ୍ତି।