ନିଷ୍ପତ୍ତିକୁ ଅଣଦେଖା କରୁଛି ଏନ୍‌ଏଚ୍‌ଏଆଇ

ଢେଙ୍କାନାଳ, ୨୬।୭(ରତନ ନାୟାର): ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପ୍ରଶାସନର ନିଷ୍ପତ୍ତିକୁ ଅଣଦେଖା କରିଚାଲିଛନ୍ତି। ଫଳରେ ମରଣଯନ୍ତା ପାଲଟିଥିବା ଢେଙ୍କାନାଳ ଜିଲାର ୫୫ ଏବଂ ୫୩ନଂ. ଜାତୀୟ ରାଜପଥରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ୧୦୩ ଜଣଙ୍କ ଜୀବନ ଗଲାଣି। ଏହାକୁ ନେଇ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୁର୍ଘଟଣା ରୋକିବା ନିମନ୍ତେ ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରିବା ପାଇଁ ଜିଲାପାଳ ସରୋଜ କୁମାର ସେଠୀ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଜିଲାରେ ସଡ଼କ ଦୁର୍ଘଟଣାରେ ୧୦୧ ଜୀବନ ଯାଇଥିଲା। ୨୦୨୩ ବର୍ଷରେ ସମାନ ସମୟରେ ଏହି ସଂଖ୍ୟା ୧୦୩ରେ ପହଞ୍ଚତ୍ଲାଣି। ଓଭରଲୋଡିଂ, ଦ୍ରୁତ ଗାଡ଼ିଚାଳନା, ନିଶାସକ୍ତ ହୋଇ ଯାନବାହନ ଚଳାଇବା, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା, କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଇଛି। ଅନ୍ୟପଟେ ଏଭଳି ଟ୍ରାଫିକ୍‌ ନିୟମ ଭଙ୍ଗ କରୁଥିବା ୧୮୨୭ ବେପରୁଆ ଗାଡ଼ିଚାଳକଙ୍କ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯାଇଛି। ୨୬ ଜଣ ନାବାଳକ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜାତୀୟ ରାଜପଥ ଆଡ଼କୁ ମୁହଁ କରିଥିବା ଶିକ୍ଷାନୁଷ୍ଠାନ ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଏଡ଼ାଇବାକୁ ସ୍କୁଲର ପ୍ରବେଶ ପଥ ପରିବର୍ତ୍ତନ ହେବ। ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବା ଜିଲା ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ପ୍ରଣୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
୫୫ନଂ. ଜାତୀୟ ରାଜପଥର କାମ ଚାଲିଥିବା ସ୍ଥାନ, ଦୁର୍ଘଟଣାପ୍ରବଣ ଅଞ୍ଚଳ, ପ୍ରମୁଖ ଛକ, ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ଛକରେ ଗାଡ଼ି ଚାଳକଙ୍କୁ ସଚେତନ କରାଇବା ପାଇଁ ସାଇନେଜ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ବିଫଳ ହୋଇଥିବାରୁ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଜିଲାପାଳ ତାଗିଦା କରିଛନ୍ତି। ଏଥିସହ ଅଧାପନ୍ତରିଆ ଅବସ୍ଥାରେ ଥିବା ୫୫ନଂ. ଏନ୍‌ଏଚ୍‌ରେ ବ୍ରିଜ୍‌, ଫ୍ଲାଏଓଭର ନିର୍ମାଣ ଶୀଘ୍ର ସାରିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଉପସ୍ଥିତ ରହୁ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ବୈଠକରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ନାୟକ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ଇଞ୍ଜିନିୟର ଏବଂ ସଡ଼କ ସୁରକ୍ଷା କମିଟି ସଭ୍ୟ ଉପସ୍ଥିତ ଥିଲେ।