Categories: Uncategorized

ଏନ୍‌ଏଚ୍‌-୩୭ ପ୍ରଶସ୍ତିକରଣ, କଟାଯିବ ୨,୫୦୦ ଗଛ…

ଗୁଆହାଟି, ୪।୪ : ଜାତୀୟ ରାଜପଥ (ଏନ୍‌ଏଚ୍‌)-୩୭ର ପ୍ରଶସ୍ତିକରଣ ପ୍ରକଳ୍ପ ପାଇଁ ଆସାମର ରାଜଧାନୀ ଗୁଆହାଟିରେ ପ୍ରାୟ ୨,୫୦୦ ଗଛ କଟାଯାଉଛି। ଜାତୀୟ ରାଜପଥ ୩୭ରେରେ ଜାଲୁକବାରୀ ଠାରୁ ଓ୍ବଶିଷ୍ଠ ପର୍ଯ୍ୟନ୍ତ ୧୬.୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଗତ ସପ୍ତାହରେ ଆରମ୍ଭ ହୋଇଛି। ଗତ କିଛି ମାସ ମଧ୍ୟରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜଧାନୀର ବଡ଼ ସବୁଜିମା ଅଂଶ ଶେଷ ହେବାକୁ ଯାଉଛି।

କିଛି ମାସ ପୂର୍ବେ ଫ୍ଲାଏ ଓଭର ଏବଂ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୩୦୦ ଗଛ କଟାଯାଇଥିଲା। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ (ଉତ୍ତର-ପୂର୍ବ) ଆଲୋକ କୁମାର କହିଛନ୍ତି ଯେ ପ୍ରାୟ ୩୦୦ ଗଛ କଟା ହୋଇସାରିଛି। ସେଗୁଡିକ କାଟିବା ପୂର୍ବରୁ ବନ ବିଭାଗ ସହିତ ଆଲୋଚନା ହୋଇଥିଲା। ସେ କହିଛନ୍ତି ଯେ ବିଦ୍ୟମାନ ଚାରି ଲେନ ବିଶିଷ୍ଟ ରାଜପଥକୁ ଛଅ ଲେନ କରାଯିବ ଏବଂ ସର୍ଭିସ୍‌ ରାସ୍ତାକୁ ଦୁଇ ଲେନ କରାଯିବ। ଏହି ସମଗ୍ର ପ୍ରକଳ୍ପ ପାଇଁ ୩୫୬.୦୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସହରକୁ ଟ୍ରାଫିକ ମୁକ୍ତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।

ନାଗରିକମାନେ ଗୁଆହାଟିରେ ଗଛ କାଟିବା ବନ୍ଦ କରିବାକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କୁ ଅନୁରୋଧ କରିଛନ୍ତି। ଏନେଇ ନାଗରିକଙ୍କ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି। ୩୨୧ ଜଣ ଏଥିରେ ଦସ୍ତଖତ କରିଛନ୍ତି ଏବଂ ଏହାକୁ ମାର୍ଚ୍ଚ ୩୧ ରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।

ଗଛ କାଟିବାକୁ ବିରୋଧ କରୁଥିବା ସଂଗଠନ ପକ୍ଷରୁ ଗଛ ଗୁଡିକର ସୁରକ୍ଷା ପାଇଁ ଏକ ମାନବ ଶୃଙ୍ଖଳା ଗଠନ କରାଯାଇଛି।
ଜାତୀୟ ରାଜପଥରେ ଅବଶିଷ୍ଟ ଗଛ କାଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନାଗରିକ ଗୋଷ୍ଠୀ ଅନୁରୋଧ କରିଛନ୍ତି।