ନୂଆଦିଲ୍ଲୀ,୨୧।୨: ଦିନକୁ ଦିନ ବଢୁଥିବା ବିଭିନ୍ନ ଘଟଣା ଓ ଲୋକବଳକୁ କମ କରିବା ସହିତ ଆଗାମୀ କାଲି ପାଇଁ ତୈଳ ସଞ୍ଚୟ କରିବା ଭଳି ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ସରକାର ନୂଆ ସଡକ ପରିବହନ ନିୟମ ଲାଗୁ କରିଥିଲେ। ସେହିଭଳି ସାରା ଦେଶର ଟୋଲ୍ ପ୍ଲାଜାରେ ସାଧାରଣ ଟୋଲ ଫି ଆଦାୟକୁ ବନ୍ଦ କରିବା ସହ ଅନଲାଇନ ଜରିଆରେ ଫି ଆଦାୟ କରିବାକୁ ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିଲା। ଫଳରେ ଚଳିତ ବର୍ଷ ଫେବୃୟାରୀ ୧୬ ରୁ ‘ଫାସ୍ଟାଗ୍’ ବ୍ୟବହାରକୁ ଗୁରୁତ୍ୱର ସହ ନେବାକୁ ସୂଚନା ଦିଆଯାଇଥିଲା। ଏହି ନୂଆ ନିୟମ ଅନୁସାରେ ଯେଉଁ ଗାଡ଼ି ଏହାର ବ୍ୟବହାର କରୁନାହାନ୍ତି ସେମାନଙ୍କଠାରୁ ଟୋଲ୍ ପ୍ଲାଜାଗୁଡ଼ିକରେ ୨ ଗୁଣ ଫି ଆଦାୟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜପଥରେ ଯାତ୍ରୀ ଓ ଚାଳକଙ୍କର ଯାତ୍ରା ବିଳମ୍ବିତ ହେଉଥିବା ଘଟଣାକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜପଥରେ ବିନା ବାଧାରେ ଗମନାଗମନ କରିବା ସହିତ ଟୋଲ୍ ପ୍ଲାଜାର ଅସୁବିଧାକୁ ଏଡ଼ାଇବା ପାଇଁ ଫାସ୍ଟାଗ୍ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ସବୁ ପ୍ରକାର ଚେଷ୍ଟା ପରେ ମଧ୍ୟ ଚାଳକମାନେ ଏହାର ବ୍ୟବହାରକୁ ଶତ ପ୍ରତିଶତ ଗ୍ରହଣ କରିନାହାନ୍ତି। ଫଳରେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଦେଶର ବିଭିନ୍ନ ଟୋଲ୍ ପ୍ଲାଜାରେ ବାହାନ ଲାଗି ଫାସ୍ଟ୍ୟା୍ଗ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରଦାନ କରିବେ। ଯେଉଁମାନେ ଏପର୍ଯ୍ୟନ୍ତ ଫାସ୍ଟ୍ୟାଗ୍ ଗାଡ଼ିରେ ଲଗାଇନାହାନ୍ତି ସେମାନେ ଟୋଲ୍ ପ୍ଲାଜା ନିକଟରେ ରହିଥିବା କାଉଣ୍ଟରରୁ ସଂଗ୍ରହ କରିନେବାକୁ ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି। ଏହି ସୁବିଧା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଳକଙ୍କ ନିମନ୍ତେ ଉପଲବ୍ଧ ହେବ। ଏନ୍ଏଚ୍ଏଆଇ ପୂର୍ବରୁ ଫାସ୍ଟାଗ୍ ଲାଗି ୧୦୦ ଟଙ୍କା ଶୁଳ୍କ ଆକାରରେ ଆଦାୟ କରୁଥିଲେ। ସେହିପରି ଫାସ୍ଟାଗ୍ ରିଚାର୍ଜ କରିବାକୁ ସାରା ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ବୁଥ୍ ସ୍ଥାପନ କରାଯାଇଛି। ଏହାଛଡା ଏହାକୁ ଅନ୍ଲାଇନ ପ୍ଲାଟ୍ଫର୍ମରେ ମଧ୍ୟ ରିଚାର୍ଜ କରାଯାଇପାରୁଛି। ଫାସ୍ଟାଗ୍ ନେଉଥିଲେ ମୋବାଇଲରେ ଏହାର ଆପ୍ ଡାଉନ୍ଲୋଡ କରିବାକୁ ହେବ। ଏଥିରେ ଅନେକ ଫିଚର ରହିଛି।