ଏନ୍‌ଏଚ୍‌ପିସି-ଗ୍ରୀଡ୍‌କୋ ଚୁକ୍ତି

ଭୁବନେଶ୍ୱର,୨୫।୬: ଦେଶର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ବିକାଶ ସଙ୍ଗଠନ ଏନ୍‌ଏଚ୍‌ପିସି ଲିମିଟେଡ୍‌ ଏବଂ ଓଡ଼ିଶା ସରକାରଙ୍କ ପ୍ରମୁଖ ନିଗମ ଗ୍ରୀଡ୍‌କୋ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ଏବଂ ଓଡ଼ିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଉକ୍ତ ବୁଝାମଣା ହୋଇଥିତ୍ବାବେଳେ ଅତି କମ୍‌ରେ ୨୦୦୦ ମେଗାୱାଟ୍‌ର ସ୍ବୟଂ ଚିହ୍ନିତ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରକଳ୍ପ ଏବଂ ୧୦୦୦ ମେଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ (ଭୂମି ଉପରେ ସୌର ପ୍ରକଳ୍ପ-ଭାସମାନ ସୌର ପ୍ରକଳ୍ପ) ସ୍ଥାପନ କରିବାକୁ ଉଭୟ ସଂସ୍ଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏନ୍‌ଏଚ୍‌ପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ରଣନୀତିକ ବ୍ୟବସାୟ ବିକାଶ ଏବଂ ପରାମର୍ଶ) ରଜତ ଗୁପ୍ତା ଏବଂ ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରୀଡ୍‌କୋର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଏନ୍‌ଏଚ୍‌ପିସି ଲିମିଟେଡ୍‌ର ନିର୍ଦ୍ଦେଶକ (ପ୍ରକଳ୍ପ) ବିଶ୍ୱଜିତ ବସୁ ଏବଂ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share