Categories: ଜାତୀୟ

କୃଷକ ଆନ୍ଦୋଳନ ଯୋଗୁ ୯,୦୦୦ କମ୍ପାନୀଙ୍କ କ୍ଷତି, କେନ୍ଦ୍ର ସହିତ ୪ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌…

ନୂଆଦିଲ୍ଲୀ,୧୪।୯: କୃଷକଙ୍କ ଆନ୍ଦୋଳନ ଦ୍ୱାରା ୯,୦୦୦ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ଆଦି ୪ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି ) ପକ୍ଷରୁ ନୋଟିସ୍‌ ପଠାଯାଇଛି। ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଅବରୋଧ ହେବାରୁ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏନ୍‌ଏଚ୍‌ଆର୍‌ସି ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।

କୃଷକଙ୍କ ଆନ୍ଦୋଳନ ସମ୍ପର୍କିତ ରିପୋର୍ଟ ଏନ୍‌ଏଚ୍‌ଆର୍‌ସି ଲୋଡ଼ିଛନ୍ତି। ୪ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ଅଧିକାରୀଙ୍କୁ ଏନେଇ ନୋଟିସ୍‌ ପଠାଯାଇଛି। ଆନ୍ଦୋଳନ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଉତ୍ତର ଲୋଡ଼ାଯାଇଛି। ଏହା ବ୍ୟତୀତ ଯାତାୟାତ, ରୋଗୀଙ୍କୁ ହସ୍ପିଟାଲ ନେବାରେ ସମସ୍ୟା ଉପୁଜିଛି। ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ରାସ୍ତାରେ ପ୍ରବଳ ଭିଡ଼ ଯୋଗୁ ଅସୁବିଧାରେ ପଡ଼ିଛନ୍ତି।

ସେହିପରି ଟ୍ରାଫିକ ଜାମ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନ୍‌ଏଚ୍‌ଆର୍‌ସି କହିଛି ଯେ, କୃଷକମାନଙ୍କର ପିକେଟିଂ ସ୍ଥାନରେ କରୋନା ପ୍ରୋଟୋକଲକୁ ଉଲ୍ଲଂଘନ କରାଯାଉଛି। ସ୍ଥାନୀୟ ଲୋକେ ମଧ୍ୟ ଘରୁ ବାହାରକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦୋଳନ ମାନବିକ ଅଧିକାର ସହ ଜଡିତ ହୋଇଥିବା ଏନ୍‌ଏଚ୍‌ଆର୍‌ସି କହିଛି। ଏସମ୍ପର୍କରେ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ଅକ୍ଟୋବର ୧୦ ସୁଦ୍ଧା ଆୟୋଗ ରିପୋର୍ଟ ଲୋଡ଼ାଯାଇଛି।

ଦୀର୍ଘ ଦିନ ଧରି ଚାଲିଆସୁଥିବା କୃଷକଙ୍କ ଆନ୍ଦୋଳନ ଯୋଗୁଁ ଜୀବନଜୀବିକା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଛି। ଆନ୍ଦୋଳନର ପ୍ରଭାବ ଆକଳନ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସୋସିଆଲ୍‌ ଓ୍ବାର୍କ ବିଭାଗକୁ ଏକ ସର୍ଭେ ଦଳ ଗଠନ କରିବାକୁ କୁହାଯାଇଛି। ଏହି ଦଳ ସର୍ଭେ କରିବା ପରେ ରିପୋର୍ଟ ଦାଖଲ କରିବେ।

Share