Categories: ଜାତୀୟ

ପଶ୍ଚିମବଙ୍ଗ ସରକାର, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୧୪ା୮: କୋଲକାତାର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ମଙ୍ଗଳବାର ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ ଜାରି କରିଛନ୍ତି। ଏନ୍‌ଏଚ୍‌ଆର୍‌ସି ନିଜଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଏବଂ ପୋଲିସ ଡିଜିଙ୍କୁ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ ଗୁପ୍ତାଙ୍ଗ ସମେତ ଆଖି ଓ ଶରୀରର ବିଭିନ୍ନ ଅଙ୍ଗରେ କ୍ଷତଚିହ୍ନ ରହିଥିବାରୁ ବଳାତ୍କାର ପୂର୍ବରୁ ଅଭିଯୁକ୍ତଙ୍କ ସହ ତାଙ୍କର ସଂଘର୍ଷ ହୋଇଥିବା ସ୍ପଷ୍ଟ ହେଉଛି। ଏହା ପୀଡ଼ିତାଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ଫେଡେରେଶନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନର ଆଲୋଚନା ବିଫଳ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶର ରେସିଡେଣ୍ଟ ଡାକ୍ତରମାନେ ସୋମବାରଠାରୁ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଓପିଡି ଏବଂ ଅଣଜରୁରୀ ସେବା ବନ୍ଦ ରହିଛି। ମାମଲାର ସିବିଆଇ ତଦନ୍ତ ପାଇଁ ଦିଲ୍ଲୀ ଏମ୍ସ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ଓ ମେଡିକାଲ ଛାତ୍ରୀଛାତ୍ର ଦାବି କରିଛନ୍ତି। କେନ୍ଦ୍ରୀୟ ସୁରକ୍ଷା ଆଇନରେ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

Share