କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଏକ ମାନବାଧିକାର ଉଲ୍ଲଂଘନ ନେଇ ଏକ ପିଟିଶନ ପାଇବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ସୋମବାର ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ କରି ୧୫ଦିନ ମଧ୍ୟରେ ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫ ଫେବୃଆରୀ ୨ରେ ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏହି ପିଟିଶନ ଦାଖଲ କରିଥିଲେ।
ପିଟିଶନରେ ତ୍ରିପାଠୀ ଦର୍ଶାଇଛନ୍ତି ଯେ, କେନ୍ଦୁଝର ଜିଲା ଚମ୍ପୁଆ ଏନ୍ଏସି ଅଧୀନ ଗୋଧୂଳି ଗାଁର ସାବିତ୍ରୀ ନାମକ ଜଣେ ଦଳିତ ପୀଡ଼ିତା ଓ ତାଙ୍କ ପରିବାର ଉପଯୁକ୍ତ ନିଯୁକ୍ତି, ବାସଗୃହ କିମ୍ବା ଅନ୍ୟ କୌଣସି ସରକାରୀ ଆର୍ଥିକ ସହାୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିରେ ପୀଡ଼ିତା ପରିବାରର ଖର୍ଚ୍ଚ ତୁଲାଇବା ପାଇଁ ମୁକେଶ (୧୩) ଓ ସୁକେଶ (୧୧) ନାମକ ତାଙ୍କ ଦୁଇ ପୁଅଙ୍କୁ ପଡ଼ୋଶୀଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ଏବେ ପୀଡ଼ିତା ଯନ୍ତ୍ରଣା ଭୋଗୁଛନ୍ତି। ଏଣୁ ସେମାନଙ୍କୁ ସହାୟତା ଦେବାକୁ ଓଡ଼ିଶା ସରକାରଙ୍କୁ ଆଦେଶ କରିବାକୁ ସେ କମିଶନଙ୍କୁ ନିବେଦନ କରିଥିଲେ। ତେବେ ଏହା ଏକ ସମ୍ବେଦନଶୀଳ ତଥା ମାନବାଧିକାର ଉଲ୍ଲଘଂନ ମାମଲା ହୋଇଥିବାରୁ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ କମିଶନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ କରିଛନ୍ତି।