ନୂଆଦିଲ୍ଲୀ,୧୮ ।୧୦: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ସାରା ଦେଶର ପ୍ରାୟ ୫ ରାଜ୍ୟରେ ୪୦ରୁ ଅଧିକ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଚଢାଉ ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବାକୁ କରାଯାଇଛି । ଏନଆଇଏ ଦ୍ୱାରା ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶର ୪୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି । ଲରେନ୍ସ ବିଶ୍ନୋଇ , ନିରଜ ବଭାନା ସମେତ କିଛି ଗ୍ୟାଙ୍ଗ ସହ ଜଡିତ ଲୋକଙ୍କ ଘର ଓ କାର୍ଯ୍ୟାୟଳ ଉପରେ ଚଢାଉ କରାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୨ ସେପ୍ଟେମ୍ବରରେ ଏନଆଇଏ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆରରେ ୫୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା । ଚଳିତ ବର୍ଷ ଅଗଷ୍ଟ ୨୬ରେ ଦିଲ୍ଲୀ ପୋଲିସ ୨ଟି ମାମଲା ରୁଜୁ କରିଥିଲା । ଏହି ମାମଲାରେ ଏନଆଇଏ ଯାଞ୍ଚ ନିଜ ହାତକୁ ନେଇ ଚଢାଉ ଆରମ୍ଭ କରିଥିଲା । ଦେଶ ଓ ବିଦେଶରେ ଥିବା କେତେଜଣ ଗ୍ୟାଙ୍ଗଷ୍ଟର ଦେଶରେ ଆତଙ୍କବାଦୀ ଓ ଆତଙ୍କବାଦୀ ଗତିବିଧି ଚଲାଇଥିବାରୁ ଏମିତି ଗ୍ୟାଙ୍ଗଷ୍ଟରଙ୍କୁ ଚିହ୍ନଟ କରି ମାମଲା ରୁଜୁ କରାଯାଇଛି ।