Categories: ଜାତୀୟ

ଜମ୍ମୁ-କଶ୍ମୀରର ୬ଟି ସ୍ଥାନରେ ଏନଆଇଏ ରେଡ

ଶ୍ରୀନଗର,୨୬।୬: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)ସୋମବାର ଘାଟିରେ ପ୍ରାୟ ଅଧା ଡଜନ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ସମ୍ପର୍କିତ ଏକ ମାମଲାର ଯାଞ୍ଚ ଆଧାରରେ ଏହି ଚଢାଉ କରାଯାଇଛି। ସୋମବାର ସକାଳେ ଏଜେନ୍ସିର ଟିମ ସୁରକ୍ଷାକର୍ମୀଙ୍କ ସହ ବାନ୍ଦିପୋରା, କୁଲଗାମ, ପୁଲଓ୍ବାମା ଓ ଶୋପିଆନ ପହଞ୍ଚିଥିଲେ। ଏହି ୪ ଜିଲାର ୬ଟି ସ୍ଥାନରେ ଚଢାଉ କରାଯାଉଛି।

ଏହାପୂର୍ବରୁ ମଙ୍ଗଳବାର ଶ୍ରୀନଗରରେ ଦେଶ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପାଇଁ ସୋସିଆଲ ମିଡିଆର ଅପବ୍ୟବହାର ସଂପର୍କରେ ରାଜ୍ୟ ଅନୁସନ୍ଧାନକାରୀ ସଂସ୍ଥା (ସିଆଇଏ) ଘାଟିର ୪ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ କରିଥିଲା। ଯେଉଁ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ସେମାନେ ବିଦେଶୀ ସହଯୋଗୀଙ୍କ ସହ ଘାଟିରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା ସନ୍ଦେହ କରାଯାଉଛି।
ଜଣେ ସିଆଇଏ ଅଧିକାରୀଙ୍କ ଅନୁଯାୟୀ, କୁପୱାରା, ଅନନ୍ତନାଗ, ପୁଲୱାମା ଏବଂ ଶ୍ରୀନଗର ଜିଲ୍ଲାର ୬ଟି ସ୍ଥାନରେ ଏଜେନ୍ସି ସର୍ଚ୍ଚ କରିଥିଲା। ସୋସିଆଲ ମିଡିଆରେ ଘୃଣା ବ୍ୟାପିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀ ସହଯୋଗୀଙ୍କ ସହ ସହଯୋଗ କରୁଥିବା ଅଭିଯୋଗରେ ଅନୁସନ୍ଧାନକାରୀ ସଂସ୍ଥା ଏକ ମାମଲା ରୁଜୁ କରିଥିଲା।

Share