Categories: ଜାତୀୟ

ପିଏଫ୍‌ଆଇ ଉପରେ ଏନ୍‌ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ: ୧୫ରାଜ୍ୟରୁ ୧୦୬ ଗିରଫ

ନୂଆଦିଲ୍ଲୀ,୨୨।୯: ଦେଶରେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ) ଏବଂ ପ୍ରବର୍ତ୍ତନ ନିିର୍ଦ୍ଦେଶାଳୟ (ଇଡି) ଗୁରୁବାର ତାମିଲନାଡୁ ଏବଂ କେରଳ ସମେତ ମୋଟ ୧୫ଟି ରାଜ୍ୟର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୯୩ଟି ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୧୦୬ ଜଣଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀରେ ଏନ୍‌ଆଇଏ ପିଏଫ୍‌ଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଏମ୍‌ଏସ୍‌ ସଲାମ ଓ ଦିଲ୍ଲୀ ଅଧ୍ୟକ୍ଷ ପରଭେଜ ଅହମ୍ମଦଙ୍କୁ ଗିରଫ କରିଛି। ତେବେ ଗିରଫ ହୋଇଥିବା ୧୦୬ଜଣଙ୍କ ମଧ୍ୟରୁ ୧୮ଜଣଙ୍କୁ ଏନ୍‌ଆଇଏର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। କୋର୍ଟ ସେମାନଙ୍କୁ ସେପ୍ଟେମ୍ବର ୨୬ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି। ଅନ୍ୟପଟେ ଚଢ଼ାଉ ସମୟରେ ଆପତ୍ତିଜନକ କାଗଜପତ୍ର ମାରଣାସ୍ତ୍ର ଏବଂ ଡିଜିଟାଲ ଉପକରଣ ଜବତ କରାଯାଇଛି। ସୂଚନାଯୋଗ୍ୟ, ପିଏଫ୍‌ଆଇ ଓ ଏହା ସହିତ ଜଡ଼ିତ ଲୋକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକଳାପ, ଆତଙ୍କବାଦୀ ପାଣ୍ଠି ଏବଂ ଲୋକଙ୍କୁ ସଂଗଠନ ସହିତ ଯୋଡିବା ବିରୋଧରେ ଏନ୍‌ଆଇଏର ଏହା ହେଉଛି ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ। ଏଥିରେ ୨ପ୍ରକାରର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଥମଟି ହେଉଛି ଯେଉଁମାନେ ପିଏଫ୍‌ଆଇର କାର୍ଯ୍ୟକଳାପରେ ସିଧାସଳଖ ଜଡିତ ଅଛନ୍ତି। ଦ୍ୱିତୀୟରେ ଯେଉଁମାନେ ଏହି ଚଢ଼ାଉ ସମୟରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ଗିରଫ ହୋଇଥିବା ଅଧିକାଂଶ ଲୋକ ଏହି ସଂସ୍ଥାର ଅଧିକାରୀ ରହିଛନ୍ତି ବୋଲି କୁହାଯାଉଛି। ଏହି ଅପରେଶନ୍‌ରେ ଏନ୍‌ଆଇଏର ୩ଶହ ଅଧିକାରୀ ସାମିଲ ଥିଲେ।

Share