ମୁମ୍ବାଇ,୩।୨: ନ୍ୟାଶନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ)କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି। ଇ-ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ଜଡିତ ଥିବା କହୁଥିବା ବେଳେ ମୁମ୍ବାଇ ସହରରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏପରିକି ନଗର ପୋଲିସ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) କୁ ସତର୍କ କରାଯାଇଥିଲା। ଏନେଇ ଏନ୍ଆଇଏ ଏବଂ ମୁମ୍ବାଇ ପୋଲିସ ସହ ଅନ୍ୟ ଏଜେନ୍ସିଗୁଡ଼ିକ ଯାଞ୍ଚ ଆରମ୍ଭ କରିଛନ୍ତି। ଏପରିକି ମେଲ୍ କେଉଁଠୁ ଆସିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ସେନେଇ ପୋଲିସ ଯାଞ୍ଚ କରୁଛି।
ପୋଲିସର ସୂଚନାନୁସାରେ, ଧମକ ବାର୍ତ୍ତା ପଠାଇବା ପାଇଁ ବ୍ୟବହୃତ ଇ-ମେଲ୍ ଠିକଣାରେ “ସିଆଇଏ” କୋଡ୍ ରହିଛି। ପ୍ରେରକଙ୍କ ଆଇପି (ଇଣ୍ଟରନେଟ ପ୍ରୋଟୋକଲ) ଠିକଣା ପାକିସ୍ତାନରୁ ଚିହ୍ନଟ ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଫେଡେରାଲ ଏଜେନ୍ସି ସମାନ ଇ-ମେଲ୍ ପାଇଥିଲା।