ଗୁପ୍ତ ତଥ୍ୟ ଲିକ୍‌ର ତଦନ୍ତ କରିବ ଏନ୍‌ଆଇଏ

ବାଲେଶ୍ୱର ଅଫିସ,୧୬।୯: ପାକିସ୍ତାନୀ ସୁନ୍ଦରୀଙ୍କ ହନୀଟ୍ରାପରେ ପଡି ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ୫ ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ ଗୁରୁବାର ବାଲେଶ୍ୱରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର ୨ ଜଣିଆ ଟିମ୍‌। କୋଲକାତାରୁ ଆସିଥିବା ଏହି ଟିମ୍‌ ବାଲେଶ୍ୱର ଏସ୍‌ପିଙ୍କୁ ଭେଟି ଘଟଣାର ଅଧିକ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ବୁଧବାର ବାଲେଶ୍ୱର ପୋଲିସ ଏହି ଘଟଣାରେ ସମ୍ପକ୍ତ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ଅନ୍ୟଜଣଙ୍କୁ ଗିରଫ କରିଛି। ସେ ହେଲେ ସଚିନ କୁମାର ଓରଫ ଛତା। ତାଙ୍କ ଘର ଉତ୍ତରପ୍ରଦେଶ। ସଚିନ ଡିଆର୍‌ଡିଓରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ସଚିନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି। ତଥ୍ୟ ଲିକ୍‌ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୫ରେ ପହଞ୍ଚିଛି। ଅଭିଯୁକ୍ତମାନେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା(ଆଇଏସ୍‌ଆଇ)କୁ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି।

Share