ଶ୍ରୀନଗର,୨୫ା୪: ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋମବାର ହିଜ୍ବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ମୁଖ୍ୟ ସୟେଦ ସଲାହୁଦ୍ଦିନଙ୍କ ୨ ପୁଅଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଛି। ୟୁଏ(ପି) ଆଇନର ଧାରା ୩୩(୧) ଅନୁଯାୟୀ ଶହିଦ ୟୁସୁଫ ଏବଂ ସୟେଦ ଅହମଦ ଶକିଲଙ୍କର ବଡ୍ଗାମ ଜିଲାର ବଡ୍ଗାମ ସୋଇବୁଗ୍ ତହସିଲ ଅଧୀନରେ ଥିବା ସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଥିବା ଏନ୍ଆଇଏ କହିଛି। ସଲାହୁଦ୍ଦିନଙ୍କ ଦୁଇପୁଅ ଯଥାକ୍ରମେ ୨୦୧୭ ଅକ୍ଟୋବର ଏବଂ ୨୦୧୮ ଅଗଷ୍ଟରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି। ୧୯୯୩ରୁ ସଲାହୁଦ୍ଦିନ ପାକିସ୍ତାନ ପଳାଇଯାଇଥିବାବେଳେ ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାର ତାଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲେ।