Categories: ଜାତୀୟ

କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍‌ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର

କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ବିସ୍ଫୋରଣରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପଛରେ ଅନ୍ତର୍ଜାତୀୟ ସମ୍ପୃକ୍ତି ସନ୍ଦେହ କରାଯାଉଥିବାରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଘଟଣାର ଏନ୍‌ଆଇଏ ତଦନ୍ତ ଲାଗି ସୁପାରିସ କରିଥିଲେ। ଏହି ମାମଲାରେ ୨୯ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଜମିଶା ମୁବିନ୍‌ଙ୍କ ସମେତ ୫ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ ହୋଇଛି। ଶ୍ରୀଲଙ୍କା ଇଷ୍ଟର ବୋମା ବିସ୍ଫୋରଣ ଘଟଣା ପରେ ୨୦୧୯ରେ ମୁବିନ୍‌ ଏନ୍‌ଆଇଏ ନଜରରେ ରହିଥିଲେ।

Share