ନୂଆଦିଲ୍ଲୀ,୨୮।୪:ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଅନୁଷ୍ଠାନିକ ଭାବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋର୍ଦାର କରିଛି। ଆକ୍ରମଣ ପଛର ଷଡ଼ଯନ୍ତ୍ର ଦିଗକୁ ଖୋଜି ବାହାର କରିବା ଲାଗି ଏନ୍ଆଇଏ ସାକ୍ଷୀମାନଙ୍କୁ ପଚରାଉଚରା କରୁଥିବା ଜଣେ ଅଧିକାରୀ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ମିଳିବା ପରେ ଏନ୍ଆଇଏ ଜମ୍ମୁରେ ଏକ ମାମଲା ରୁଜୁ କରିଛି। ଏହାର ଏକାଧିକ ଟିମ୍ ତଦନ୍ତରେ ସାମିଲ ହୋଇଛନ୍ତି।
ଗତ ମଙ୍ଗଳବାର ପହଲଗାମ୍ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପରେ ଏନ୍ଆଇଏ ଅଧିକାରୀମାନଙ୍କ ଏକ ଟିମ୍ ଆଇଜିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସକୁ ତଦନ୍ତରେ ସହାୟତା କରିଥିଲା। ବୁଧବାରଠାରୁ ଏନ୍ଆଇଏ ଟିମ୍ ଆକ୍ରମଣ ସ୍ଥଳରେ ରହି ତଥ୍ୟପ୍ରମାଣ ସଂଗ୍ରହ କରୁଛି। ପର୍ଯ୍ୟଟନସ୍ଥଳର ପ୍ରବେଶ ଓ ପ୍ରସ୍ତାନ ପଥକୁ ଯାଞ୍ଚ କରାଯାଇଛି। ଉକ୍ତ ଟିମ୍ ସହ ଫୋରେନ୍ସିକ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ସାମିଲ ହୋଇ ଆତଙ୍କବାଦ ଷଡ଼ଯନ୍ତ୍ର ସମ୍ପର୍କରେ ତଥ୍ୟ ହାସଲ ନିମନ୍ତେ ସମଗ୍ର ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି।


