Categories: ଜାତୀୟ

ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବାକୁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ ରାୟକୁ କାଏମ ରଖିଛନ୍ତି। ରାମନବମୀ ପାଳନ ବେଳେ ପଶ୍ଚିମବଙ୍ଗର ହାଓଡ଼ା, ଦଲଖୋଲା ଜିଲା ସମେତ ଅନ୍ୟାନ୍ୟ ସ୍ଥାନରେ ହିଂସାକାଣ୍ଡ ଘଟିବା ସହ ବୋମାମାଡ଼ ହୋଇଥିଲା। ତେବେ ବୋମା ଆକ୍ରମଣକୁ ରାଜ୍ୟ ପୋଲିସ ବିସ୍ଫୋରକ ସାମଗ୍ରୀ ଆଇନରେ ରେକର୍ଡ କରି ନ ଥିବା ଅଭିଯୋଗ ହୋଇଥିଲା। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଜନସ୍ବାର୍ଥ ମାମଲା ଏବଂ ଅନ୍ୟ ୩ ପିଟିଶନର ଶୁଣାଣି କରି ଉକ୍ତ ହିଂସାର ଏନ୍‌ଆଇଏ ତଦନ୍ତ ପାଇଁ କୋଲ୍‌କାତା ହାଇକୋର୍ଟ ଗତ ଏପ୍ରିଲ ୨୭ରେ ନିର୍ଦ୍ଦେଶ ଦେଇଥିଲେ। ହିଂସା ସମ୍ପର୍କିତ ସମସ୍ତ ଏତଲା, ଦସ୍ତାବିଜ, ତଥ୍ୟ ପ୍ରମାଣ ଓ ସିସିଟିଭି ଫୁଟେଜ୍‌ ଏନ୍‌ଆଇଏକୁ ଦୁଇ ସପ୍ତାହ ମଧ୍ୟରେ ହସ୍ତାନ୍ତର କରିବାକୁ ରାଜ୍ୟ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

Share