ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ ବିସ୍ତାରିତ ହୋଇଛି।

ତୁଷାରପାତ ହୋଇଥିବା ନାଏଗ୍ରା ଜଳ ପ୍ରପାତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଆଂଶିକ ଫ୍ରିଜ ହୋଇଥିବା ପ୍ରପାତର ଭିଡ଼ିଓ ରହିଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ପ୍ରସିଦ୍ଧ ଜଳପ୍ରପାତ ଆଂଶିକ ଫ୍ରିଜ ହୋଇଛି, ତଥାପି ପ୍ରବାହିତ ଜଳ ମଧ୍ୟ ଏହା ସହିତ ଦୃଶ୍ୟମାନ ହେଉଛି, ଏହା ପ୍ରମାଣ କରେ ଯେ ଏହି ଜଳପ୍ରପାତ କେବେବି ସମ୍ପୂର୍ଣ୍ଣ ଫ୍ରିଜ ହୋଇ ନ ଥାଏ ।

ଆମେରିକାର ନ୍ୟୁୟର୍କ ଏବଂ କାନାଡାର ଅନଟାରିଓ ମଧ୍ୟରେ ସୀମାରେ ନାଏଗ୍ରା ଜଳ ପ୍ରପାତ ଅବସ୍ଥିତ। ବରଫ ଝଡ଼ ଯୋଗୁ ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୨୮ ଜଣଙ୍କର ମୃତ୍ୟୁ ଘଟିଛି। ତାପମାତ୍ରା ଶୂନରୁ ତଳକୁ ଖସିଯିବାରୁ ନାଏଗ୍ରା ଜଳପ୍ରପାତର ପାଣି ବରଫରେ ପରିଣତ ହୋଇଛି। ଏପରିକି ପ୍ରବଳ ଥଣ୍ଡା ସମୟରେ ପର୍ଯ୍ୟଟକମାନେ ନାଏଗ୍ରାକୁ ଦେଖିବା ପାଇଁ ପହଞ୍ଚୁଛନ୍ତି। ସେମାନେ ସେଠାରୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

ଖ୍ରୀଷ୍ଟମାସ ସପ୍ତାହ ଶେଷରେ ପଶ୍ଚିମ ନ୍ୟୁୟର୍କରେ ଏକ ବରଫ ଝଡ଼ ସୃଷ୍ଟି ହୋଇଥିଲା। ଏହାକୁ ଅଧିକାରୀମାନେ ଶତାବ୍ଦୀର ବରଫ ଝଡ଼ ବୋଲି କହିଥିଲେ। ଏହି ଝଡ଼ ଯୋଗୁଁ ଆମେରିକା ଅଧିକ ପ୍ରଭାବିତ ହୋଇଥିଲା। ଦେଶର ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଲଗାତାର ବିଦ୍ୟୁତ କାଟ, ବିମାନ ଯାତ୍ରା ଏବଂ ସଡ଼କ ଯାତାୟାତରେ ବ୍ୟାଘାତ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ବରଫ ଝଡ଼ କାରଣରୁ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

Share