୧୩ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୬।୭(ବ୍ୟୁରୋ): ଆଷାଢ଼ ମାସରେ ବର୍ଷାର ଦେଖାନାହିଁ। କେଉଁଠି କେତେବେଳେ ଅସରାଏ ଦି ଅସରା ବର୍ଷା ହେଉଥିଲେ ମଧ୍ୟ ଅଧିକାଂଶ ସମୟରେ ପାଗ ଶୁଖିଲା ରହୁଛି। ରାଜ୍ୟର ଅଧା ଜିଲା ଏବେ ଅନାବୃଷ୍ଟି ସଙ୍କଟ ଦେଇ ଗତି କରୁଛି। ଧାନବୁଣା ହୋଇଥିଲେ ମଧ୍ୟ ଚାଷ କାମ ଆଗେଇ ପାରୁ ନାହିଁ। ମାଟି ଫାଟି ଆଁ କଲାଣି। ଚାଷୀମାନେ ବର୍ଷାକୁ ଅନାଇ ରହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୧୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୨୬୫.୪ ମିଲିମିଟର ବର୍ଷା ହେବା ଜାଗାରେ ୨୨୦.୪ ମିଲିମିଟର ହୋଇଛି। ରାଜ୍ୟର ୧୩ ଜିଲାରେ ବର୍ଷା ଅଭାବ ଯୋଗୁ ଭୟଙ୍କର ଅବସ୍ଥା ସୃଷ୍ଟି ହୋଇଛି। ୧୭ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା କେବଳ ନୂଆପଡ଼ା ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅନୁଗୋଳ ଜିଲାରେ ୩୧ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୩୦, ବୌଦ୍ଧ ୩୩, ଭଦ୍ରକ ୫୪, ଦେବଗଡ଼ ୨୭, ଗଜପତି ୪୮, ଗଞ୍ଜାମ ୩୯, ଯାଜପୁର ୪୪, କନ୍ଧମାଳ ୨୪, ମୟୂରଭଞ୍ଜ ୩୦, ନବରଙ୍ଗପୁର ୨୧, ରାୟଗଡ଼ା ୨୩ ଏବଂ ସମ୍ବଲପୁରରେ ୨୧ ପ୍ରତିଶତ ସବୁଠାରୁ କମ୍‌ ବର୍ଷା ହୋଇଛି। କେବଳ ନୂଆପଡ଼ାରେ ଜୁନ୍‌ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ସ୍ବାଭାବିକ ଭାବେ ୨୨୯.୫ ପ୍ରତିଶତ ବର୍ଷା ହେବାକୁ ଥିବା ବେଳେ ହୋଇଛି ୨୮୬.୧ ପ୍ରତିଶତ।
ଆସନ୍ତା ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କିଛି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। ତେବେ ଏହି ଲଘୁଚାପର ସେତେଟା ପ୍ରଭାବ ରହିବ ନାହିଁ । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲାରେ କିଛି ମାତ୍ରାରେ ବର୍ଷା ହେଲେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ବର୍ଷାର ସେତେଟା ପ୍ରଭାବ ରହିବ ନାହିଁ। ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ରହୁଥିବାରୁ ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭରଞ୍ଜ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଅନୁଗୋଳରେ ୨୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧୩.୩, ସମ୍ବଲପୁର ୧୪.୪, ବଲାଙ୍ଗୀର ୨୯, କୋରାପୁଟ ୨୭, ଟିଟିଲାଗଡ଼ ୭୫.୬ ଏବଂ ଫୁଲବାଣୀରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share