Advertisement

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ କରି ଅଭିନୟ କ୍ଷେତ୍ରରେ ସଫଳତା ପାଇଥିବା ନିୟା ରବିବାର ଟିଭି ଇଣ୍ଡଷ୍ଟ୍ରିରେ ୧୪ ବର୍ଷ ପୂରଣ କରିଛନ୍ତି। ଏହି ଅବସରକୁ ନିୟା ବେଶ୍‌ ଧୁମ୍‌ଧାମ୍‌ରେ ସେଲିବ୍ରେଟ୍‌ କରିଛନ୍ତି। ସେ ନିଜ ଘରକୁ ବେଲୁନ୍‌ ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀରେ ସଜାଇଥିଲେ। ସେହିପରି ତାଙ୍କ ପାଇଁ ଏକ ସ୍ବତନ୍ତ୍ର କେକ୍‌ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଉକ୍ତ କେକ୍‌ ଉପରେ ନିୟା କରିଥିବା ବିଭିନ୍ନ ଚରିତ୍ରର ଫଟୋ ରହିଥିଲା। ଟିଭି ଇଣ୍ଡଷ୍ଟ୍ରିରେ ନିୟା ୧୪ ବର୍ଷ ପୂରଣ କରିଛନ୍ତି ବୋଲି ଉକ୍ତ କେକ୍‌ରେ ଉଲ୍ଲେଖ ରହିଥିଲା। କେକ୍‌ କାଟିବାର ବିଶେଷ ମୁହୂର୍ତ୍ତ ପାଇଁ ନିୟା
ହଳଦିଆ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏହାପରେ ସେ କେକ୍‌ କାଟିଥିଲେ। ନିୟା ତାଙ୍କର ଏହି ବିଶେଷ ମୁହୂର୍ତ୍ତର ଫଟୋକୁ ଇନ୍‌ଷ୍ଟଗ୍ରାମରେ ଶେୟାର କରିଛନ୍ତି ଏବଂ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ଟିଭି ଇଣ୍ଡଷ୍ଟ୍ରିରେ ୧୪ ବର୍ଷ ପୂରଣ କରିଛି। ଏଥିପାଇଁ ସମସ୍ତ ସାଥୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଏବଂ ପ୍ରଶଂସକଙ୍କ ନିକଟରେ ସେ କୃତଜ୍ଞ। ୨୦୧୦ରେ ନିୟା ‘କାଲୀ ଏକ୍‌ ଅଗ୍ନିପରୀକ୍ଷା’ ସେଟ୍‌ରୁ ଟିଭି ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ପରେ ୨୦୧୧ରେ ‘ଏକ୍‌ ହଜାରୋଁ ମେଁ ମେରୀ ବେହନା ହେ’ରେ ଅଭିନୟ କରିବା ତାଙ୍କ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ସିରିଏଲ୍‌ ତାଙ୍କୁ ବେଶ୍‌ ପ୍ରସିଦ୍ଧି ଦେଇଥିଲା। ସମ୍ପ୍ରତି ସେ ତାଙ୍କ ସିରିଏଲ୍‌ ‘ସୁହାଗନ୍‌ ଚୁଡୈଲ୍‌’ରେ ବ୍ୟସ୍ତ ଅଛନ୍ତି, ଯାହା ବର୍ତ୍ତମାନ ଜିଓ ସିନେମା ଏବଂ କଲର୍ସ ଟିଭିରେ ପ୍ରସାରିତ ହେଉଛି। ଏହି ସିରିଏଲ୍‌ର ପ୍ରଥମ ଏପିସୋଡ୍‌ ଚଳିତ ବର୍ଷ ମେ’ ୨୭ରେ ପ୍ରସାରିତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share