Categories: ଖେଳ

ନିଖତ, ଲଭଲିନା ପଦକ ଫେବରିଟ୍‌

ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍‌ ଓ ଲଭଲିନା ବୋର୍ଗୋହେନ୍‌ ଭାରତର ପଦକ ଫେବରିଟ୍‌ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳିଙ୍କ ଚୟନକୁ ନେଇ ବାଦ ବିବାଦ ପରେ ଟୁର୍ନାମେଣ୍ଟ ଆରମ୍ଭ ହେଉଥିବା ବେଳେ ଘରୋଇ ପରିବେଶରେ ଭାରତୀୟ ଖେଳାଳିଙ୍କ ନିକଟରୁ ଦୃଢ ପ୍ରଦର୍ଶନ ଆଶା କରାଯାଉଛି। ପ୍ରଥମ ଥର ପାଇଁ ୬ଥର ବିଶ୍ୱ ଚାମ୍ପିୟନ ଏମ୍‌ ସି ମ୍ୟାରୀକମଙ୍କ ଅନୁପସ୍ଥିତିରେ ଭାରତ ଖେଳୁଥିବା ବେଳେ ଅଲିମ୍ପିକ୍ସ ପଦକ ବିଜୟିନୀ ଲଭଲିନା ଓ ନିଖତ ଜରିନଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ନୂତନ ଓଜନ ବର୍ଗରେ ଉଭୟ ଖେଳାଳି ପ୍ରତିଦ୍ୱନ୍ଦ୍ୱତା କରୁଥିବା ବେଳେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଉଭୟ ଖେଳାଳିଙ୍କ ପ୍ରାଥମିକତା ରହିବ। ୫୦ କିଗ୍ରା ବର୍ଗରେ ନିଖତ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ଜିତିଥିଲେ। ଅନ୍ୟପକ୍ଷରେ ୭୫ କିଗ୍ରା ଓଜନ ବର୍ଗରେ ଲଭଲିନା ଖାପଖୁଆଇବାକୁ ପ୍ରୟାସ କରିବେ। ପୂର୍ବରୁ ଦୁଇ ଥର ବିଶ୍ୱଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଲଭଲିନା ଘରୋଇ ପରିବେଶରେ ସ୍ବର୍ଣ୍ଣ ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତିତ ରାଜ୍ୟ ଗୋଷ୍ଠୀ ପଦକ ବିଜୟିନୀ ନୀତୁ ଘଘାଂସ (୪୮ କିଗ୍ରା) ଓ ମନୀଷା ମାଉଁ(୫୭ କିଗ୍ରା)ଙ୍କ ନିକଟରୁ ମଧ୍ୟ ପଦକ ଆଶା କରିବ ଭାରତ।

ଅନ୍ୟ ମାନଙ୍କ ମଧ୍ୟରେ ସାକ୍ଷୀ ଚୌଧାରୀ(୫୨), ପ୍ରୀତି(୫୪), ଶଶୀ ଚୋପ୍ରା(୬୩) ଓ ସାନମଚା ଚାନୁ (୭୦ କିଗ୍ରା)ଙ୍କ ନିକଟରୁ ମଧ୍ୟ ଭଲ ପ୍ରଦର୍ଶନର ଆଶା ରହିବ। ରୁଷୀୟ ବକ୍ସରଙ୍କ ଅଂଶଗ୍ରହଣ କାରଣରୁ ଆମେରିକା, ବ୍ରିଟେନ ଓ ଆୟାର୍ଲାଣ୍ଡ ଓହରି ଯାଇଛନ୍ତି। ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜେତାଙ୍କୁ ୧ ଲକ୍ଷ ଡଲାର, ରୌପ୍ୟ ବିଜେତାଙ୍କୁ ୫୦ ହଜାର ଡଲାର ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ ହଜାର ଡଲାର ପୁରସ୍କାର ଦିଆଯିବ। ୨୦୦୬ରେ ଭାରତରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ଦଳ ୪ ସ୍ବର୍ଣ୍ଣ ସହିତ ୮ ପଦକ ବିଜୟୀ ହୋଇଥିଲା।

Share