Advertisement

ନିଧି ରାଜଦାନ ଫିଶିଙ୍ଗ୍‌ ଶିକାର

ନୂଆଦିଲ୍ଲୀ,୧୬ା୧: ଏନ୍‌ଡିଟିଭିର ପୂର୍ବତନ ଖବରଦାତା ନିଧି ରାଜଦାନ ଫିଶିଙ୍ଗ୍‌ (ଅନ୍‌ଲାଇନ୍‌ ଠକେଇ)ର ଶିକାର ହୋଇଥିବା ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ନିଧି କହିଛନ୍ତି, ସେ ଅତ୍ୟନ୍ତ ଗମ୍ଭୀର ଫିଶିଙ୍ଗ୍‌ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ପାଖକୁ ହାଭାର୍ଡ ୟୁନିଭର୍ସିଟିରେ ଅଧ୍ୟାପନା ପାଇଁ ଆସିଥିବା ଅଫର ଫେକ୍‌ ବୋଲି ଜାଣିବାକୁ ପାଇଛନ୍ତି।
ନିଧି ଆମେରିକାସ୍ଥିତ ହାଭାର୍ଡ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଆସୋସିଏଟ୍‌ ପ୍ରଫେସର ପଦରେ ନିଯୁକ୍ତି ପାଇଁ ଗତ ସେପ୍ଟେମ୍ବରରେ ଅଫର ପାଇଥିଲେ। ଏହା ପରେ ଏନ୍‌ଡିଟିଭିର ୨୧ ବର୍ଷର ସାମ୍ବାଦିକତା ଛାଡ଼ି ନୂଆ କ୍ୟାରିୟର ଗଢ଼ିବା ପାଇଁ ଉତ୍ସାହିତ ହୋଇଯାଇଥିଲେ। ଏଥିପାଇଁ ନିଧି ପ୍ରସ୍ତୁତି ଚଳାଇଥିବାବେଳେ ମହାମାରୀ କରୋନା ଯୋଗୁ କ୍ଲାସ୍‌କୁ ଜାନୁୟାରୀ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ତାଙ୍କୁ କୁହାଯାଇଥିଲା। ପରେ ସେ ହାଭାର୍ଡ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ସତ କଥା ଜାଣିବାକୁ ପାଇଛନ୍ତି। ଅନ୍‌ଲାଇନ୍‌ ଠକମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ବ୍ୟକ୍ତିଗତ ତଥ୍ୟ ହାସଲ କରି ତାଙ୍କୁ ଜାଲରେ ଫସାଇବାକୁ ଉଦ୍ୟମ କରିଥିବା ନିଧି କ୍ଷୋଭ ବ୍ୟକ୍ତ କରିଛନ୍ତି। ଏଭଳି ଘୃଣ୍ୟ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୋଲିସ ନିକଟରେ ଏତଲା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share