Categories: ଖେଳ

ନାଇଜେରିଆ ତୃତୀୟ

ଭୁବନେଶ୍ୱର, ୩୧।୧୦, (କ୍ରୀଡ଼ା ପ୍ରତିନିଧି): ଆଫ୍ରିକୀୟ ଦେଶ ନାଇଜେରିଆ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ଆଉ ଏକ ବିପର୍ଯ୍ୟୟ ଘଟାଇ ଶ୍ରେଷ୍ଠ ସଫଳତା ଲାଭ କରିଛି। ରବିବାର ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଏହି ଦଳ ଶକ୍ତିଶାଳୀ ଜର୍ମାନୀକୁ ପେନାଲ୍ଟି ଶୁଟ୍‌ଆଉଟ ୬-୫ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଛି। ପୂର୍ବରୁ ୨୦୧୦, ୨୦୧୨ ଓ ୨୦୧୪ରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଥିବା ନାଇଜେରିଆ ଏଥର କିନ୍ତୁ ତୃତୀୟ ସ୍ଥାନ ଅଧିକାର କରି ଦକ୍ଷତା ପ୍ରତିପାଦନ କରିଛି।

ଅନ୍ୟପକ୍ଷରେ ୨୦୦୮ରେ ତୃତୀୟ ସ୍ଥାନ ପାଇଥିବା ଜର୍ମାନୀ ଏଥର ୪ର୍ଥରେ ସନ୍ତୁଷ୍ଟ ରହିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ବରାବର ରହିଥିଲା। ନାଇଜେରିଆ ପକ୍ଷରୁ ଓପେୟେମି ଆଜାକାୟେ ୨୦, ଅମିନା ବେଲୋ ୪୮ ଓ ଇଡିଡଙ୍ଗ ଇଟିମ୍‌ ୬୩ ଏବଂ ଜର୍ମାନୀର ଜେଲା ଭେଇଟ ୭୩, ପାଉଲିନା ବର୍ଜ ୮୪ ଓ ଲୋରେନ ବେଣ୍ଡେର ୯୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆଯାଇଥିଲା। ଏହି ପର୍ଯ୍ୟାୟରେ ନାଇଜେରିଆ ପକ୍ଷରୁ ବ୍ଲେସିଂ ସଣ୍ଡେ, ଇଡିଡଙ୍ଗ ଇଟିମ ଓ ଓପେୟେମି ଆଜାକାୟେ ଗୋଲ ଦେଇଥିବାବେଳେ ଟୁମିନିନୁ ଆଡେଶିନା ମିସ୍‌ କରିଥିଲେ। ଅନ୍ୟପକ୍ଷରେ ଜର୍ମାନୀର ଜେଲା ଭେଟ ଓ ମାଥିଲ୍‌ଡେ ଜାନଜେନ ଗୋଲ ଦେଇଥିବାବେଳେ ପାଉଲିନା ପ୍ଲାଟନେର ଓ ପାଉଲିନା ବର୍ଜ ବିଫଳ ହୋଇଥିଲେ। ଅର୍ଥାତ୍‌ ଏହି ପର୍ଯ୍ୟାୟରେ ନାଇଜେରିଆ ୩ଟି ଗୋଲ ଦେଇଥିବାବେଳେ ଜର୍ମାନୀ ମାତ୍ର ୨ଟି ଗୋଲ ସ୍କୋର କରିପାରିଥିଲା। ନାଇଜେରିଆର ଓପେୟେମି ଆଜାକାୟେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।

Share