ଦିଲ୍ଲୀରୁ ଧରାହେଲେ ନାଇଜେରୀୟ

ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ ଟଙ୍କା। ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ୱର ସାଇବର ଥାନା ପୋଲିସ ଜଣେ ନାଇଜେରିଆ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଛି। ତାଙ୍କ ନାମ ସାମସନ ଏମିକେ ଏଲିକା। ସେ ଦିଲ୍ଲୀର କିସାନଗଡ଼ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ତାଙ୍କଠାରୁ ଦୁଇଟି
ମୋବାଇଲ, ଗୋଟିଏ ଲାପଟପ, ଅବଧି ସରିଥିବା ପାସ୍‌ପୋର୍ଟ ଆଦି ଜବତ କରାଯାଇଛି। ତାଙ୍କ ପାଖରେ ଆଉ ଗୋଟିଏ ନୂଆ ପାସପୋର୍ଟ ଅଛି। ତାହା ମଧ୍ୟ ନକଲି ବୋଲି ଜଣାପଡ଼ିଛି। ଏହାସହ ଉକ୍ତ ବ୍ୟକ୍ତିଙ୍କ ୩ଟି ଆକାଉଣ୍ଟରେ ଥିବା ୬ ଲକ୍ଷ ଟଙ୍କାକୁ ଅଚଳ କରାଯାଇଛି। ତାଙ୍କୁ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ବାଲେଶ୍ୱର ଅଣାଯାଇଛି। ତଦନ୍ତରେ ସବିଶେଷ ତଥ୍ୟ ମିଳିବା ପରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ। କାହା ଇଶାରାରେ ସେ ଲୋକଙ୍କୁ ଫୋନ କରୁଥିଲେ ଏବଂ ଠକୁଥିଲେ ଏନେଇ ଜଣାପଡ଼ିନାହଁି। ଏହି ଘଟଣାରେ ତାଙ୍କ ସହ କିଛି ଭାରତୀୟ ମଧ୍ୟ ସାମିଲ ଥିବା ପୋଲିସ ସନ୍ଦେହ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ମୀନା ବିନ୍ଧାଣି ସୂଚନା ଦେଇଛନ୍ତି।
ଅଭିଯୋଗକାରୀ ବାଲେଶ୍ୱର ସହର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସୋସିଆଲ ମିଡିଆରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ବନ୍ଧୁତା ସ୍ଥାପନ କରିଥିଲେ। ପ୍ରଥମେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ ହୋଇଥିବା ବେଳେ ସାଇବର ଠକ ତାଙ୍କୁ ହ୍ବାଟ୍ସଆପ ନମ୍ବର ମାଗିଥିଲେ। ନମ୍ବର ପାଇବା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଚାଟିଂ ଆରମ୍ଭ କରିଥିଲେ। ଏମିତିକି ଲଣ୍ଡନରୁ ବନ୍ଧୁଙ୍କ ପାଇଁ ଦାମୀ ଜିନିଷ ଗୋଲ୍ଡ ବିସ୍କୁଟ, ରୋଲେକ୍ସ ଘଣ୍ଟା, ଆଇଫୋନ ଆଦି ପଠାଇବାର ପ୍ରତିଶ୍ରୁତି ଦେଉଥିଲେ। କିଛିଦିନ ମଧ୍ୟରେ ଠକାମାନେ ଦିଲ୍ଲୀ ଏୟାରପୋର୍ଟର ମହିଳା କଷ୍ଟମ ଅଫିସର ପରିଚୟ ଦେଇ ଅଭିଯୋଗକାରୀଙ୍କୁ ଫୋନ କରିବା ସହ କଷ୍ଟମ ଚାର୍ଜ ଦେବା ପାଇଁ କହିଥିଲେ। ବାଲେଶ୍ୱରର ବ୍ୟକ୍ତି ଜଣକ ତାଙ୍କ କଥାରେ ରାଜି ହୋଇ ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ସମୁଦାୟ ୩୦ଲକ୍ଷ ଟଙ୍କା ଦେବା ପରେ ନିଜେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସାଇବର ଥାନାରେ ଗତ ଏପ୍ରିଲ ୧୩ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଏକ ଭାରତୀୟ ନମ୍ବର ମିଳିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ସାଇବର ପୋଲିସ।
ସୂଚନା ଯେ, ଉକ୍ତ ନାଇଜେରିଆ ଯୁବକଜଣଙ୍କ ନିଜକୁ ସୁନ୍ଦରୀ ଯୁବତୀ ପରିଚୟ ଦେଇ ଦୈନିକ ପ୍ରାୟ ୧୦୦ ଲୋକଙ୍କୁ ନିଜ ଜାଲରେ ଫସାଉଥିବା ପୋଲିସ ଜାଣିବାକୁ ପାଇଛି।