ନୂଆଦିଲ୍ଲୀ,୧।୮: କରୋନା ପରେ ଏବେ ମଙ୍କିପକ୍ସ ଦେଶରେ କାୟାବିସ୍ତାର କରିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୫ବର୍ଷୀୟ ଆକ୍ରାନ୍ତ ନାଇଜେରିଆର ହୋଇଥିବା ବେଳେ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ନିକଟରେ ସେ ବିଦେଶ ଯାତ୍ରା ମଧ୍ୟ କରି ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣଙ୍କୁ ଗତ ପାଞ୍ଚ ଦିନ ଧରି ଜ୍ୱର ହେଉଥିବା ବେଳେ ତାଙ୍କ ଦେହରେ ଘା’ହୋଇଥିଲା। ତାଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏହା ରାଜ୍ୟର ଦ୍ୱିତୀୟ ମାମଲା। ସୂଚନା ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୨ ଏବଂ କେରଳରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।