ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ, ୧୦ ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ଶନିବାରଠାରୁ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏଥିସହିତ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୨୦ ଜିଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି।
ସେହିପରି ଭୁବନେଶ୍ୱର, କଟକ, ପୁରୀ ଆଦି ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବାକି ୨୦ଟି ଜିଲାର ସହରାଞ୍ଚଳରେ ଆସନ୍ତାକାଲିଠୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ କରିଛନ୍ତି । ଏହି ଜିଲାଗୁଡିକରେ ଅତ୍ୟାବଶ୍ୟକ ସେବାକୁ ନାଇଟ କର୍ଫ୍ୟୁରୁ ବାଦ୍‌ ଦିଆଯିବ । ମାଲବାହୀ ପରିବହନ ଯଥାବିଧି ଜାରି ରହିବ। କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନକୁ ବାଧ୍ୟତାମୂଳକ କରାଯାଇଛି।
ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି ମୁଖ୍ୟ ସଚିବ ମହାପାତ୍ର କହିଛନ୍ତି । ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିଗୁଡିକ ନିଜର ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବେ ।
ସରକାର ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରି ଜୀବିକା ପ୍ରଭାବିତ କରିବାକୁ ଚାହୁଁନାହାନ୍ତି । ତେଣୁ ଏସବୁ ଖୋଲା ରହିବ, କିନ୍ତୁ କୋଭିଡ ଗାଇଡଲାଇନ୍‌କୁ ପାଳନ କରିବାକୁ ପଡ଼ିବ । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

Share