ଦ୍ୱୈତନଗରୀରେ ରାତ୍ର କର୍ଫ୍ୟୁ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୨।୭ (ବ୍ୟୁରୋ): ଅନ୍‌ଲକ୍‌-୨ରେ ରାଜ୍ୟ ସରକାର କରୋନା କଟକଣାରେ କିଛିଟା ପରିବର୍ତ୍ତନ କରିଛନ୍ତି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ ମଧ୍ୟ ରାତି ୭ଟା ପରିବର୍ତ୍ତେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରିଛନ୍ତି। ତେବେ ଭୁବନେଶ୍ୱର ଓ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଅବଧିରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦ୍ୱୈତନଗରୀର କମିଶନରେଟ ପୋଲିସ ସେଥିରେ କୌଣସି ପରିବର୍ତ୍ତନ କରିନାହିଁ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କର୍ଫ୍ୟୁ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସହରବାସୀ ପୂର୍ବଭଳି ସହଯୋଗ କରିବାକୁ ନିବେଦନ କରିଛନ୍ତି।
ଗୃହ ବିଭାଗର ନିର୍ଦ୍ଦେଶ ତଥା ଓଡ଼ିଶା ସହରାଞ୍ଚଳ ଆକ୍ଟ-୨୦୦୩ ଅନୁସାରେ ଏହି କଟକଣା ଲଗାଯାଇଛି। ଅତି ଜରୁରୀ କାର୍ଯ୍ୟ ନ ଥିଲେ ବାହାରକୁ ନ ବାହାରିବାକୁ କୁହାଯାଇଛି। କର୍ଫ୍ୟୁ ସମୟରେ ରାଜଧାନୀର ବିଭିନ୍ନ ଛକରେ ପୋଲିସ ଚେକିଂ କରିବ। ଯେଉଁମାନେ ବିନା କାରଣରେ ବୁଲୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାତି ୯ଟା ପୂର୍ବରୁ ପୋଲିସ ସାଇରନ୍‌ ବଜାଇ ଦୋକାନୀ ଓ ଲୋକଙ୍କୁ ସଚେତନା କରିବ। କର୍ଫ୍ୟୁ ସମୟରେ ଦୋକାନ ଖୋଲାଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ବିଭିନ୍ନ ଛକରେ ଲୋକେ ଗହଳି କରୁଥିଲେ ସେମାନଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯିବ। ତେବେ ରାତ୍ରକାଳୀନ କର୍ଫ୍ୟୁ ସମୟରେ ପୂର୍ବଭଳି ଔଷଧ ଦୋକାନ ଖୋଲା ରହିବ। ମେଡିକାଲ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିମାନେ ନିଜ ପରିଚୟପତ୍ର ବ୍ୟବହାର କରି ଯାତାୟାତ କରିପାରିବେବୋଲି କମିଶନରେଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

Share