ଗଞ୍ଜାମରେ ୭ ଘଣ୍ଟା ୧୪୪ ଧାରା

ଛତ୍ରପୁର,୩୧ା୧୨(ଡି.ଏନ.ଏ.)-ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲେ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଥିରେ କଟକଣା ଲଗାଇଛନ୍ତି। ଗୁରୁବାର ରାତି ୧୦ରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳ ନିଜ କ୍ଷମତା ପ୍ରୟୋଗ କରି ଗୁରୁବାର ରାତି ୧୦ଟାରୁ ଶୁକ୍ରବାର ସକାଳ ୫ଟା ପର୍ଯ୍ୟନ୍ତ ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ଏହି ୭ ଘଣ୍ଟା ଜିଲାର କୌଣସି ହୋଟେଲ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପରେ ଜିରୋନାଇଟ କିମ୍ବା ନୂଆବର୍ଷ ସ୍ବାଗତ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇପାରିବନି ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପରିବହନକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରି କଡାକଡି ଯାଞ୍ଚ କରିବାକୁ ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ଜିଲାପାଳ ନିର୍ଦ୍ଦେଶନାମା ପଠାଇଛନ୍ତି । କେହି ବ୍ୟକ୍ତି ୧୪୪ ଧାରା ଖିଲାପ କଲେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଜିଲାପାଳ କହିଛନ୍ତି।

Share