ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସମସ୍ତ ସହରଗୁଡ଼ିକରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏଥିସହ ଡିସେମ୍ବର ୧ରୁ ମାସ୍କ ନ ପିନ୍ଧିଲେ କିମ୍ବା ସାମାଜିକ ଦୂରତ୍ୱ ରକ୍ଷା ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନାକୁ ଦ୍ୱିଗୁଣିତ କରାଯିବ ବୋଲି କ୍ୟାପଟେନ ଅମରିନ୍ଦର କହିଛନ୍ତି। ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ମ୍ୟାରେଜ ପ୍ୟାଲେସଗୁଡ଼ିକ ରାତି ସାଢ଼େ ୯ଟାରେ ବନ୍ଦ ହୋଇଯିବ। ଏହାପରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହ ଯେଉଁମାନେ କରୋନା ପ୍ରୋଟୋକଲ୍‌ ଆମାନ୍ୟ କରିବେ ସେମାନଙ୍କୁ ଏବେ ୫୦୦ ବଦଳରେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ଅନ୍ୟପଟେ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ଡିସେମ୍ବର ୧୫ରେ ସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ପଞ୍ଜାବକୁ ଦିଲ୍ଲୀରୁ ଆସୁଥିବା ରୋଗୀଙ୍କ ସଂଖ୍ୟାକୁ ଦେଖି ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଶଯ୍ୟା ସଂଖ୍ୟା ଉପଲବ୍ଧ କରାଇବା ସହ ବଢ଼ାଇବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି।

 

Share