ପୁଣି ଓଡ଼ିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ମାଲକାନଗିରି,୨୨।୩(ଡି.ଏନ୍‌.ଏ.): ପୁଣି କରୋନା ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଓ ଲକ୍‌ଡାଉନ ଲାଗୁ କରାଯାଉଛି। ନାଇଟ କର୍ଫ୍ୟୁ ବର୍ତ୍ତମାନ ଓଡ଼ିଶାକୁ ଫେରିଛି। ମାଲକାନଗିରି ଜିଲାରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଏ ନେଇ ମାଲକାନଗିରି ଜିଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ରାତ୍ର କର୍ଫ୍ୟୁ ଲାଗି ଜିଲା ପ୍ରଶାସନ ତରଫରୁ ନିୟମ କଡ଼ାକଡ଼ି କରାଯାଇଛି। ନାଇଟ କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ମାର୍ଚ୍ଚ ୩୧ ତାରିଖ ରାତି ୧୧. ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ। କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ପାଳନକୁ ବାରଣ କରାଯାଇଛି। କୋଭିଡ ଗାଇଡଲାଇନ ସହ ୫୦ଜଣଙ୍କୁ ନେଇ ଦୋଳ ମେଳଣ ହେବ। ସେହିପରି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ ଏହି ଯାତ୍ରା ସମାପ୍ତ ହେବ।