ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା ସଂକ୍ରମଣର ଗତିକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇପାରେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆଭାଷ ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ କରିବା ପାଇଁ ରାତିରେ କର୍ଫ୍ୟୁ ଜାରି କରିବା ଉପରେ ବିଚାର କରାଯାଉଛି ବୋଲି ଗୁରୁବାର ଏଏପି ସରକାର ଦିଲ୍ଲୀ ହାଇକୋର୍ଟକୁ ଜଣାଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି କେଜରିଓ୍ବାଲ ସରକାର କହିଛନ୍ତି। ସୂଚନା ମୁତାବକ ଗୁରୁବାର ଅନ୍ୟ ରାଜ୍ୟଙ୍କ ଭଳି ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବା ଉପରେ ହାଇକୋର୍ଟ କେଜରିଓ୍ବାଲ ସରକାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜେରିଓ୍ବାଲ କହିଛନ୍ତି, ରାତ୍ରିକାଳୀନ କର୍ଫ୍ୟୁ ନେଇ ଏଯାଏଁ କୌଣସି ନିଷ୍ପତ୍ତିରେ ପହଞ୍ଚିନାହୁଁ, ଏହା ଉପରେ ବିଚାର କରାଯାଉଛି। କିନ୍ତୁ କରୋନା ସ୍ଥିତିକୁ ଦେଖିବା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି।

Share