Categories: ଖେଳ

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା। ଦକ୍ଷିଣ କୋରିଆର ଦୁର୍ବଳ ରଣନୀତି ବ୍ରାଜିଲକୁ ସହଜ ବିଜୟ ଦେଲା। ଏହା ଏକ ବ୍ରାଜିଲ ଶୋ’ର ରାତି (ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’) ଥିଲା। ବ୍ରାଜିଲ ଦଳ ୧୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଏହି ଫୁଟବଲ ଶୋ’ ଆରମ୍ଭ କରିଥିଲା। ଫଳରେ ମାତ୍ର ୩୬ ମିନିଟ ମଧ୍ୟରେ ଦଳ ୪-୦ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା। ପ୍ରଥମାର୍ଦ୍ଧରେ ସେମାନେ କୋରିଆ ଗୋଲପୋଷ୍ଟ ଉପରେ ୬ ଥର ଆକ୍ରମଣ କରିଥିଲେ। ଏଥିରୁ ୪ ଗୋଲ ଦେଇଥିଲେ। ଏହା ମୋତେ ୨୦୦୨ରେ ବ୍ରାଜିଲ-ଚାଇନା ମ୍ୟାଚକୁ ମନେପକାଇ ଦେଇଥିଲା। ସେତେବେଳେ ସ୍କୋଲାରିଙ୍କ ଦଳ ୪-୦ ଗୋଲରେ ଜିତିଥିଲା।
ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ବ୍ରାଜିଲ କେବଳ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ ନାହିଁ, ପରବର୍ତ୍ତୀ ରାଉଣ୍ଡର ପ୍ରତିଦ୍ୱନ୍ଦ୍ୱୀ କ୍ରୋଏସିଆର ଚିନ୍ତା ବଢ଼ାଇ ଦେଇଛି। ଏଥିସହ ଚଳିତ ବିଶ୍ୱକପର ସବୁଠାରୁ ଫେଭରାଇଟ ଦଳଭାବେ ବ୍ରାଜିଲ ନିଜକୁ ପ୍ରମାଣିତ କରିଛି। ଦଳପାଇଁ ଏକମାତ୍ର ଚିନ୍ତାର କାରଣ ହେଉଛି ସେମାନେ ଏପର୍ଯ୍ୟନ୍ତ କୌଣସି ଶକ୍ତିଶାଳୀ ଏବଂ ଆକ୍ରମଣାତ୍ମକ ରଣନୀତିରେ ଖେଳୁଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟି ନାହାନ୍ତି। ନେମାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଞ୍ଜୁରିମୁକ୍ତ ଥିବାପରି ପ୍ରତୀୟମାନ ହେଉଛନ୍ତି। ଏବେ ସେ ନିଜ ନେତୃତ୍ୱରେ ଦଳକୁ ଆଗକୁ ନେଇପାରିବେ। ସେ ହିଁ ମ୍ୟାଚରେ ପ୍ରଭେଦ ଆଣିପାରିବେ। ନେମାର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ପେନାଲ୍ଟିରୁ ଏକ ଗୋଲ ସ୍କୋର କରିଛନ୍ତି। ଫ୍ରଣ୍ଟରେ ରାଫିନା, ନେମାର, ଭିନିସିଅସ ଓ ରିଚାର୍ଲିସନ କୋରିଆ ଦଳ ପାଇଁ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଥିଲେ। ନେମାରଙ୍କ ପ୍ରତ୍ୟାବର୍ତ୍ତନରେ ମୋଟିଭେଟ ହୋଇ ବ୍ରାଜିଲ ପ୍ରକୃତ ଫୁଟବଲ ଦକ୍ଷତା ଦେଖାଇଛି। ପ୍ରଥମାର୍ଦ୍ଧରେ ସେମାନେ ୬ ଗୋଲ ଦେବାର ନିକଟତର ହୋଇଥିଲେ ଏବଂ ୪ ଗୋଲ ସ୍କୋର କରିଥିଲେ। ଫଳରେ ଟିଟେ ଜଣକ ପରେ ଜଣେ ମୁଖ୍ୟ ଖେଳାଳିଙ୍କୁ ବିଶ୍ରାମ ଦେବାର ସୁଯୋଗ ପାଇଥିଲେ।
ଟିଟେଙ୍କ ପ୍ରଶିକ୍ଷଣରେ ବ୍ରାଜିଲ ଦଳ ଏବେ ପ୍ରତିଭାରେ ଭରପୂର। ଶାରୀରିକଭାବେ ଫିଟ୍‌ ଥିବାବେଳେ ବୈଷୟିକ ଦୃଷ୍ଟିରୁ ଶକ୍ତିଶାଳୀ। ଫଳରେ ସେମାନେ ଭଲ ଖେଳିବାକୁ ସକ୍ଷମ ହେଉଛନ୍ତି। ପିଏସ୍‌ଜି (ପ୍ୟାରିସ ସେଣ୍ଟ-ଜର୍ମେନ) ପକ୍ଷରୁ ୭ ବର୍ଷ ଖେଳିବାର ଅଭିଜ୍ଞତା ରଖିଥିବା ୨ ଜଣ ସେଣ୍ଟର-ବ୍ୟାକ୍‌ଙ୍କୁ ନେଇ ବେଶ୍‌ ଦୃଢ଼। ମିଡ୍‌ଫିଲ୍ଡର୍ସଙ୍କୁ ନେଇ ଦଳ ବେଶ୍‌ ସନ୍ତୁଳିତ। ଡିଫେନ୍ସରେ କାସେମିରୋ ବଲ୍‌ ପାସ୍‌ କରିବାରେ ମାହିର ହୋଇଥିବାବେଳେ ପାକ୍ୱେଟା ଜଣେ ରକ୍ଷଣାତ୍ମକ ଖେଳାଳି। ଆକ୍ରମଣାତ୍ମକ ବିଭାଗରେ ରାଫିନା ଡାହାଣ, ନେମାର ମଝି ଏବଂ ଭିନସିଅସ ବାମପଟରୁ ସର୍ବଦା ବିପଜ୍ଜନକ ସାବ୍ୟସ୍ତ ହୋଇଥାନ୍ତି। ରିଚାର୍ଲିସନ ଗୋଲ ସ୍କୋର ପାଇଁ ସବୁବେଳେ ସୁଯୋଗ ଅପେକ୍ଷାରେ ଥାଆନ୍ତି।
ବ୍ରାଜିଲ କ୍ୱାର୍ଟର ଫାଇନାଲରେ ଗତବର୍ଷର ଫାଇନାଲିଷ୍ଟ ୟୁରୋପୀୟ ଦଳ କ୍ରୋଏସିଆକୁ ଭେଟିବ। ପୂର୍ବ ମ୍ୟାଚରେ ଜାପାନକୁ ହରାଇବା ପାଇଁ ଏହି ଦଳକୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ତେଣୁ ଆଗାମୀ ମ୍ୟାଚ ପୂର୍ବରୁ ବ୍ରାଜିଲ ଅପେକ୍ଷା କ୍ରୋଏସିଆ ଅଧିକ ଚିନ୍ତାରେ ଥିବ ନିଶ୍ଚିତ। ଆଗାମୀ ମ୍ୟାଚ ସହଜ ନ ହେଲେ ହେଁ ମୋ ମତରେ ବ୍ରାଜିଲ ଫେଭରାଇଟ ରହିବ। କାରଣ ଏପରି ମ୍ୟାଚ ଖେଳିବା ପାଇଁ ବ୍ରାଜିଲ ଦୀର୍ଘ ଦିନରୁ କାମ କରି ଆସୁଛି। ଟିଟେଙ୍କ ନାଁ କମେଇବା ପାଇଁ ଏହା ପ୍ରକୃଷ୍ଟ ସମୟ। ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍‌ ସନ୍ତୁଳିତ। ଆଗାମୀ ଦିନରେ ଅନ୍ୟ ଶକ୍ତିଶାଳୀ ଦଳଗୁଡ଼ିକ ତାଙ୍କୁ ବିସ୍ମିତ କରିବା ଅପେକ୍ଷାରେ ଅଛନ୍ତି ବୋଲି ଟିଟେ ଭଲଭାବେ ଜାଣିଛନ୍ତି।
ନେମାର ଚମତ୍କାର ଫର୍ମ ସହ କାତାରରେ ପହଞ୍ଚତ୍ଥିଲେ। ପରିସଂଖ୍ୟାନ ଦୃଷ୍ଟିରେ ସେ ଚଳିତ ସିଜନର ଅନ୍ୟତମ ଶ୍ରେଷ୍ଠ ଖେଳାଳି। ସେ ୧୯ଟି ଗେମ୍‌ ଖେଳିଥିବାବେଳେ ୧୫ଟି ଗୋଲ ଦେଇଛନ୍ତି ଏବଂ ୧୨ଟି ଗୋଲ ଦେବାରେ ସହାୟତା କରିଛନ୍ତି। ତୃତୀୟ ବ୍ରାଜିଲୀୟ ଖେଳାଳିଭାବେ ୩ କିମ୍ବା ତଦୂର୍ଦ୍ଧ୍ୱ ବିଶ୍ୱକପ୍‌ରେ ଗୋଲ ଦେଇଛନ୍ତି। ଏବେ ପିଏସ୍‌ଜି ଫର୍ମକୁ ବଜାୟ ରଖିବା, ବିଶ୍ୱକପ୍‌ ଜିତିବା ଏବଂ ବାଲାନ ଡି’ଅର ପୁରସ୍କାର ଜିତିବା ତାଙ୍କର ସ୍ବପ୍ନ ଥିବ। ଯାହାକୁ ସେ କେବେ ହାସଲ କରିପାରି ନାହାନ୍ତି। ୩୦ ବର୍ଷ ହୋଇଯାଇଥିବାରୁ ନେମାର ଜାଣିଛନ୍ତି ଯେ, ଯାହା ଏବେ ନୁହେଁ ତାହା କେବେ ନୁହେଁ।

Share