Categories: ଜାତୀୟ

ସହରୀକରଣରୁ ବଢ଼ୁଛି ରାତିର ତାତି

ନୂଆଦିଲ୍ଲୀ, ୨୯।୫ : ଭାରତର ୧୪୦ଟି ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ ୬୦ ପ୍ରତିଶତ ଅଧିକ ଗରମ ଅନୁଭୂତ ହେଉଛି। ଏହାର ପ୍ରମୁଖ କାରଣ ସହରୀକରଣ ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ସହରୀକରଣର ସର୍ବାଧିକ ପ୍ରଭାବ ଅହମଦାବାଦ, ରାଜକୋଟ ଏବଂ ଜୟପୁର ସହର ଉପରେ ପଡୁଥିବାବେଳେ ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ପୁଣେ ଏହି ମାମଲାରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ସହରୀକରଣ ଯୋଗୁ ଦେଶରେ କଂକ୍ରିଟ ଜଙ୍ଗଲର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପରିଣାମ ଭାରତର ବିଭିନ୍ନ ସହରବାସୀ ଭୋଗୁଥିବା ଅଧ୍ୟୟନରେ କୁହାଯାଇଛି। ବିଶେଷକରି ସହରରେ ଅଧିକ ସଂଖ୍ୟାରେ ଏୟାର କଣ୍ଡିଶନରର ବ୍ୟବହାର ଯୋଗୁ ଉତ୍ତାପ ବଢ଼ିବାରେ ଲାଗିଛି। ବର୍ଦ୍ଧିତ ସହରୀକରଣ ଯୋଗୁ ରାସ୍ତା ଏବଂ ଗୃହ ନିର୍ମାଣରେ ବ୍ୟବହୃତ କଂକ୍ରିଟ୍‌ ଏବଂ ଆସ୍‌ଫାଲ୍ଟ ଦିନରେ ଉତ୍ତାପକୁ ସଂରକ୍ଷଣ କରି ରାତିରେ ଛାଡ଼ୁଛି। ଫଳରେ ସହରର ରାତି ତାପମାତ୍ରା ବୃଦ୍ଧି ପାଉଥିବା ନେଚର ସିଟିଜ୍‌ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଆଇଆଇଟି ଭୁବନେଶ୍ୱରର ଗବେଷକମାନେ ଦର୍ଶାଇଛନ୍ତି। ୨୦୦୩ରୁ ୨୦୨୦ ମଧ୍ୟରେ ସାଟେଲାଇଟ୍‌ ଡାଟାର ସାହାଯ୍ୟ ନେଇ ରାତ୍ରି ସମୟରେ ଭୂପୃଷ୍ଠ ତାପମାତ୍ରାର ତଥ୍ୟକୁ ଏହି ଅଧ୍ୟୟନରେ ବିଶ୍ଳେଷଣ କରାଯାଇଥିଲା। ଦେଶର ବିଭିନ୍ନ ସହରର ତାପମାତ୍ରା ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳଠାରୁ ଢ଼େର ଅଧିକ ରହିଥିବା ଅଧ୍ୟୟନରେ କୁହାଯାଇଛି। ଖାସ୍‌କରି ପୂର୍ବ ଏବଂ ମଧ୍ୟଭାରତୀୟ ସହରଗୁଡ଼ିକ ବିକାଶଶୀଳ ହୋଇଥିବାରୁ ଏହାର ବିସ୍ତାର ଦ୍ରୁତ ଗତିରେ ଘଟୁଛି। ତେଣୁ ଏହିସବୁ ସହରରେ ରାତ୍ରି ତାପମାତ୍ରା ବୃଦ୍ଧିର ହାର ଦେଶର ଅନ୍ୟ ପ୍ରାନ୍ତ ଅପେକ୍ଷା ଅଧିକ ରହିଛି। ଭାରତୀୟ ସହରଗୁଡ଼ିକରେ ପ୍ରତି ଦଶନ୍ଧିରେ ରାତ୍ରି ତାପମାତ୍ରା ହାରାହାରି ୦.୫୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଉଥିବା ଏହି ଅଧ୍ୟୟନରେ କୁହାଯାଇଛି। ଅନ୍ୟପକ୍ଷରେ ସହର ଓ ଗ୍ରାମାଞ୍ଚଳର ତାପମାତ୍ରା ହାରାହାରି ୦.୨୬ ଡିଗ୍ରୀ ସେଲ୍‌ସିୟସ ବଢ଼ିଛି।

Share