ଗଞ୍ଜେଇଟଣାକୁ ନେଇ ଝଗଡ଼ା, ସାଥୀ ଜଗୁଆଳି ଗିରଫ

ବଲାଙ୍ଗୀର ଅଫିସ,୭ା୧: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଫାର୍ମହାଉସ ରାତି ଜଗୁଆଳି ରାତୁ ଭୁଏ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତ ଭାବେ ଉକ୍ତ ଫାର୍ମ ହାଉସର ଅନ୍ୟତମ ରାତି ଜଗୁଆଳି ସୋନୁ ବାଗ (୬୪)ଙ୍କୁ ଗିରଫ କରିଛି। ଗଞ୍ଜେଇ ଟଣାକୁ ନେଇ ଉଭୟ ରାତି ଜଗୁଆଳିଙ୍କ ଭିତରେ ହୋଇଥିବା ଝଗଡାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତ ସୋନୁଙ୍କ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ଖୁଜେନପାଲି ନିକଟ ଅଇଁଲାଚୁଆଁ ଗାଁରେ ଥିବା ଏକ ଫାର୍ମହାଉସରେ ବୁଧବାର ରାତିରେ ରାତି ଜଗୁଆଳି ରାତୁ ଭୁଏଙ୍କୁ ହତ୍ୟା କରାଯାଇଥିଲା। ଏହି ଫାର୍ମ ହାଉସରେ ରାତୁ ଏବଂ ସୋନୁ ରାତି ଜଗୁଆଳି ଭାବେ କାମ କରୁଥିଲେ। ବୁଧବାର ରାତିରେ ଉଭୟ ସେହି ଫାର୍ମ ହାଉସରେ ରହିଥିଲେ। ରାତି ପ୍ରାୟ ୧୦ଟାରେ ଗଞ୍ଜେଇ ଟାଣିବାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟେ ନିଶାରେ ଥିଲେ। ରାତୁ ଉତ୍ତ୍ୟକ୍ତ ହୋଇ ସୋନୁଙ୍କୁ ମାଡ ମାରିଥିଲେ। ଏପରି କି ଫାର୍ମ ହାଉସ ଭିତରେ ଥିତ୍ବା ଘରେ ଶୋଇବାକୁ ନ ଦେଇ ବାହାରେ ଶୋଇବାକୁ ତାଙ୍କୁ ବାଧ୍ୟ କରିଥିଲେ । ବାପା ବୟସର ସୋନୁ ପୁଅ ବୟସର ରାତୁ ଠାରୁ ମାଡ ଖାଇବା ଏବଂ ଫାର୍ମହାଉସ ଭିତର ଘରେ ଶୋଇବାକୁ ନ ଦେବା ଘଟଣାରେ କ୍ରୋଧିତ ହୋଇ ଯାଇଥିଲେ । ଶେଷରେ ସୋନୁ ଏକ ପଥର ଫଟା ହାତୁଡି ନେଇ ନିଶାରେ ଶୋଇ ପଡିଥିବା ରାତୁଙ୍କ ମୁଣ୍ଡରେ ନିସ୍ତୁକ ମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରାତୁଙ୍କ ମୃତ୍ୟୁ ଘଟିବା ଜାଣିବା ପରେ ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରି ଅଭିଯୁକ୍ତ ସୋନୁ ହାତୁଡିକୁ ଫର୍ମ ହାଉସ ବାହାରେ ଫିଙ୍ଗି ଦେବା ସହ ସେଠାରୁ ଅନ୍ୟ ଗାଁକୁ ଚାଲି ଯାଇଥିଲେ। ଗୁରୁବାର ସକାଳେ ଗାଁ ଲୋକଙ୍କୁ ବୁଧବାର ବିଳମ୍ବିତ ରାତିରେ ତିନିଜଣ ଯୁବକ ତାଙ୍କୁ ମାରି ଦେଇଥିବା କାହାଣୀ ତିଆରି କରି କହିଥିଲେ। ପୋଲିସ ସବୁ ଘଟଣାର ଛାନ୍‌ବିନ୍‌ କରିବା ପରେ ଅଭିଯୁକ୍ତ ସୋନଙ୍କୁ ସନ୍ଦେହ କରି ଜେରା କରିବାରୁ ସେ ନିଜ ଦୋଷ ସ୍ବୀକାର କରିଥିବା ସୂଚନା ଦିଆଯାଇଛି।

Share