ଓଡ଼ିଶାର ୨ ସ୍ବାସ୍ଥ୍ୟକର୍ମୀଙ୍କୁ ନାଇଟିଙ୍ଗେଲ୍‌ ଆୱାର୍ଡ

କଣାସ(ବିଭୂତି ଭୂଷଣ ତ୍ରିପାଠୀ) / ନବରଙ୍ଗପୁର (ସଦାଶିବ ପ୍ରହରାଜ),୨୩ା୬: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୨ ଓ ୨୦୨୩ ବର୍ଷ ନିମନ୍ତେ ୧୫ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ମଞ୍ଜୁଲତା ମହାରଣା ଏବଂ ସେବତୀ ସାହୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଆୱାର୍ଡ ପାଇଛନ୍ତି।
ସୂଚନା ଅନୁଯାୟୀ, ପୁରୀ ଜିଲା କଣାସ ବ୍ଲକ କାଦୁଆ ପଞ୍ଚାୟତ ଅଧୀନ ସାହାସପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ମଞ୍ଜୁଲତା ଦୀର୍ଘ ୧୯ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି। ସେ ଏଏନ୍‌ଏମ ତାଲିମ ସମାପ୍ତ କରିବା ପରେ ୨୦୦୭ରେ ଜାତୀୟ ସ୍ବାସ୍ଥ୍ୟ ମିଶନରେ ପ୍ରଥମେ ଚାକିରି ଆରମ୍ଭ କରିଥିଲେ। ଗତ ୩ବର୍ଷ ମଧ୍ୟରେ ନିଜ ଅଞ୍ଚଳରେ ସେ ଶିଶୁ ମୃତ୍ୟୁହାର ଶୂନ୍ୟ, ୮୯ ପ୍ରତିଶତ ଟିକା ପ୍ରଦାନ କରିବା ସହିତ କୋଭିଡ୍‌ ଓ ବନ୍ୟା ସମୟରେ ୧୦୪ ଜଣ ମହିଳାଙ୍କ ପ୍ରସବ କରାଇବା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ। ଫଳରେ ସେ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ଉଦାହରଣ ପାଲଟିଥିଲେ। ସେହିପରି ନବରଙ୍ଗପୁର ଜିଲାର ସେବତୀ ଦୀର୍ଘ ୨୦ବର୍ଷ ଧରି ନିଜ କାର୍ଯ୍ୟ ପ୍ରତି ସମର୍ପିତ ରହିଛନ୍ତି। ସମ୍ପ୍ରତି ସେ ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ବିଭାଗରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ସେବତୀ ଜିଲାର ଅନେକ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ସେବା ଯୋଗାଇ ଦେଇଛନ୍ତି।

Share