ଦାରିଙ୍ଗବାଡି,୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୧ ରୁ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାକୁ ରହିଥିବା ବେଳେ ଏହାର ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ମହୋତ୍ସବକୁ ଭଲ ପାଉଥିବା ଦାରିଙ୍ଗବାଡି ଅଞ୍ଚଳବାସୀ ମଧ୍ୟ ନିଜ ଆଡୁ ବିଭିନ୍ନ ପ୍ରସ୍ତୁତି ଚଳାଇଛନ୍ତି। ବିଭିନ୍ନ ଷ୍ଟଲରେ ପାରମ୍ପରିକ ଖାଦ୍ୟ, ହଳଦୀ, ମାଣ୍ଡିଆ, ସୋରିଷ, ଅଦା ଭଳି ସାମଗ୍ରୀ ବିକ୍ରିବଟା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ପ୍ରସ୍ତୁତ ଚଳାଇଛନ୍ତି। ସରକାରୀ ଓ ବେସରକାରୀ ସଂସ୍ଥା ମାନେ ମଧ୍ୟ ବିଭିନ୍ନ ବ୍ୟବସାୟ, ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ କରିଛନ୍ତି। ସେହିପରି ଦାରିଙ୍ଗବାଡି ବଜାରର ନିହାର ରଞ୍ଜନ ସାହୁ ଶୀତ ମହୋତ୍ସବକୁ ନେଇ ବିଭିନ୍ନ ଡିଜିଟାଲ ଆର୍ଟ ମାଧ୍ୟମରେ ଚିତ୍ର କରି ଦାରିଙ୍ଗବାଡି ଅଞ୍ଚଳବାସୀଙ୍କ ଠାରୁ ଭୁୟସୀ ପ୍ରଂଶସା ସାଉଁଟିଛନ୍ତି। ତାଙ୍କର ଏହି ଡିଜିଟାଲ ଚିତ୍ର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି କମ ସମୟ ମଧ୍ୟରେ ସେ ଦାରିଙ୍ଗବାଡି ର ଅନେକ ଚିତ୍ର କରି ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଚିତ୍ର କରି ସେ ଜିଲା ତଥା ଜିଲା ବାହାରେ ନାମ ଅର୍ଜନ କରିସାରିଛନ୍ତି। ଏବେ ଶୀତ ମହୋତ୍ସବ ଚିତ୍ରରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଓଡିଶାର କଳା ସଂସ୍କୃତିକୁ ସ୍ଥାନ ଦେଇ ନିହାର ଚର୍ଚ୍ଚାରେ ଅଛନ୍ତି।