ଆରପାରିରେ ‘ଖଇରୀ’ର ପାଳିତା ମା’

କଟକ ଅଫିସ/ବାରିପଦା ଅଫିସ , ୩୦ା୧୨: ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ‘ଖଇରୀ’କୁ ପାଳିପୋଷି ବଡ଼ କରିଥିବା ନୀହାର ନଳିନୀ ସ୍ବାଇଁ(୮୮)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଜୀବଜନ୍ତୁ ପ୍ରେମୀ ତଥା ଖଇରୀର ପାଳିତା ମା’ ଭାବେ ନଳିନୀ ବେଶ୍‌ ପରିଚିତ ଥିଲେ। ସ୍ବାମୀ ସରୋଜ ରାଜ ଚୌଧୁରୀଙ୍କ ବିୟୋଗ ପରେ ସେ କଟକ ସିଦ୍ଧେଶ୍ୱର ସାହିସ୍ଥିତ ବୃଦ୍ଧାଶ୍ରମରେ ଦୀର୍ଘବର୍ଷ ଧରି ରହୁଥିଲେ।
୧୯୭୪ରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ତତ୍କାଳୀନ ନିର୍ଦ୍ଦେଶକ ସରୋଜ ରାୟ ଚୌଧୂରୀ ସ୍ତ୍ରୀ ନୀହାର ନଳିନୀଙ୍କ ସହ ବୁଲୁଥିବାବେଳେ ଖଇରା ନଦୀକୂଳରୁ ଏକ ବାଘ ଛୁଆ ପାଇ ଘରକୁ ଆଣିଥିଲେ। ଦୀର୍ଘ ୭ବର୍ଷ ଧରି ସରୋଜ ଏବଂ ନଳିନୀ ନିଜ ପିଲା ଭଳି ତାହାର ଲାଳନ ପାଳନ କରିଥିଲେ। ଖଇରା ନଦୀ କୁଳରୁ ବାଘକୁ ଉଦ୍ଧାର କରାଯାଇଥିବାରୁ ଏହାର ନଁା ଖଇରୀ ରଖିଥିଲେ। ଘର ଅଗଣାରେ ରହୁଥିବା ଏହି ବାଘକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକେ ଆସୁଥିଲେ। ୧୯୮୧ରେ ଏକ ପାଗଳା କୁକୁର କାମୁଡ଼ାରେ ଖଇରୀର ମୃତ୍ୟୁ ଘଟିଥିଲା। ଖଇରୀର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ସରୋଜଙ୍କ ସେହି ବର୍ଷ ପରଲୋକ ଘଟିଥିଲା। ସ୍ବାମୀଙ୍କୁ ହରାଇବା ପରେ ନଳିନୀ ବୃଦ୍ଧାଶ୍ରମକୁ ଚାଲିଆସିଥିଲେ। ସେମାନଙ୍କର କୌଣସି ପିଲାଛୁଆ ନ ଥିଲା। ବୃଦ୍ଧାଶ୍ରମରେ ରହିବାବେଳେ ନଳିନୀ ଖଇରୀକୁ ସବୁବେଳେ ମନେ ପକାଉଥିଲେ। ମଙ୍ଗଳବାର ସେ ଖାଇସାରି ଶୋଇବାକୁ ଯାଇଥିଲେ। ଏହାପରେ ସେ ଆଉ ଉଠି ନ ଥିଲେ। ଖବରପାଇ ଡାକ୍ତର ସେଠାରେ ପହଞ୍ଚତ୍ ତାଙ୍କୁ ମୃତ ଘୋଷଣା କରିଥିଲେ।

Share