୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର

୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର
ଅଟାଓ୍ବା,୩୦।୯: ୨୦୧୬ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଲେଖି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ। ଭାରତ ସରକାର ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି ସେ ଚିଠି ମାଧ୍ୟମରେ ଜଣାଇଥିଲେ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ଚଳିତ ବର୍ଷ ଜୁନ ମାସରେ ସୁରେରେ ଥିବା ଥିବା ଶିଖ ଗୁରୁ ନାନକଙ୍କ ଗୁରୁଦ୍ୱାରରେ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଏହା ପୂର୍ବରୁ ସେ ଭାରତ ଉଠାଇଥିବା ଅଭିଯୋଗ ଉପରେ ଟ୍ରୁଡୋଙ୍କ ହସ୍ତକ୍ଷେପ ଲୋଡି ଏକ ଚିଠି ଲେଖିଥିଲେ। ସେହି ସମୟରେ ଭାରତର ଅନୁରୋଧ କ୍ରମେ ଇଣ୍ଟରପୋଲ ନିଜ୍ଜରଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲେ।

ନ୍ୟାସନାଲ ପୋଷ୍ଟ ଖବରକାଗଜ ରିପୋର୍ଟ ଅନୁଯାୟୀ, ନିଜ୍ଜର ଚିଠିରେ କହିଥିଲେ, ମୁଁ ତୁମ ପ୍ରଶାସନକୁ ଅନୁରୋଧ କରୁଛି ଯେ ଭାରତ ସରକାରଙ୍କ ମିଥ୍ୟା, ଭିତ୍ତିହୀନ, କାଳ୍ପନିକ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରନ୍ତୁ। ଭାରତ ନିଜର ସରକାରୀ ଅଧିକାରକୁ ଖୋଲାଖୋଲି ଭାବେ ଅପବ୍ୟବହାର କରିଛି।

ଭାରତରେ ହତ୍ୟା, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଦେଶଦ୍ରୋହ ସମେତ ଅନେକ ମାମଲାରେ ନିଜ୍ଜରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୦୭ରେ, ଲୁଧିଆନାର ଏକ ସିନେମା ହଲ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ତାଙ୍କର ଭୂମିକା ଥିଲା। ନିଷିଦ୍ଧ ଖଲିସ୍ତାନ ଆତଙ୍କବାଦୀ ବାହିନୀର ମୁଖ୍ୟ ଭାବରେ ସେ ବ୍ରିଟିଶ କଲମ୍ବିଆରେ ଆତଙ୍କବାଦୀ ତାଲିମ ଶିବିର ଚଳାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଇଣ୍ଟରପୋଲ ଭାରତର ଅନୁରୋଧ କ୍ରମେ ୨୦୧୬ରେ ତାଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା।

ନ୍ୟାସନାଲ ପୋଷ୍ଟ ଅନୁଯାୟୀ, ନିଜାର ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ଶିଖମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମାତୃଭୂମି ଗଠନ କରିବାକୁ ଚାହୁଁଥିଲେ। ଖଲିସ୍ତାନୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବାରୁ ତାଙ୍କୁ ଭାରତ ଦ୍ୱାରା ଟାର୍ଗେଟ କରାଯାଉଛି। ଚିଠିରେ ଆହୁରି କୁହାଯାଇଛି ଯେ, ସେ କୌଣସିି ହିଂସାତ୍ମକ କାର୍ଯ୍ୟକଳାପରେ କେବେ ବି ବିଶ୍ୱାସ କରନ୍ତି ନାହିଁ କି ସମର୍ଥନ କରନ୍ତି ନାହିଁ।

Share