ଗୋଟିଏ ହଁ ରେ ରାତାରାତି ଷ୍ଟାର ପାଲଟିଯାଇଥିଲେ ଶିଳ୍ପା

ମୁମ୍ବାଇ: ନିଜର ଅଭିନୟ ଓ ଫିଟନେସକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିଳ୍ପା ସେଟ୍ଟି ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ଶିଳ୍ପା ଏବେ ‘ନିକମ୍ମା’ ଫିଲ୍ମକୁ ନେଇ ଅଛନ୍ତି ଚର୍ଚ୍ଚାରେ । ଅଭିମନ୍ୟୁ ଦଶାନୀ ଓ ଶର୍ଲି ସେତିଆଙ୍କ ସହ ଶିଳ୍ପା ଏହି ମୁଭିରେ ନଜର ଆସିବେ । ଷ୍ଟାରକାଷ୍ଟମାନେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଏବେ ଶିଳ୍ପା ଏକ ସାକ୍ଷାତ୍‌କାରରେ ଅନେକ ମନକଥା ଖୋଲା ଖୋଲି ଭାବେ କଥା ହୋଇଛନ୍ତି । କେମତି ମାତ୍ର ୧୭ ବର୍ଷ ବୟସରେ ଗୋଟିଏ ହଁ ହିଁ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା ସେ କଥା କହିଛନ୍ତି ଅଭିନେତ୍ରୀ ।
ଯେତେବେଳେ ଶିଳ୍ପା ଏକାଦଶ ଶ୍ରେଣୀରେ ପାଠପଢୁଥିଲେ ସେତେବେଳେ ତାଙ୍କୁ ଏକ ବିଜ୍ଞାପନ ପାଇଁ ଅଫର ଆସିଥିଲା । ଆଉ ଏଥିରେ କାମ କରିବାକୁ ପ୍ରଥମେ ତାଙ୍କ ପିତା ରାଜି ହୋଇଯାଇଥିଲେ । ଏହି ବିଜ୍ଞାପନ କରିବା ସମୟରେ ୟଶ ଚୋପ୍ରାଙ୍କ ଆସିଷ୍ଟାଣ୍ଟ ଦିଲିପ ନାଇକଙ୍କର ନଜର ପଡିଥିଲା ଶିଳ୍ପାଙ୍କ ଉପରେ । ଏହାପରେ ସେ ଶିଳ୍ପାଙ୍କୁ ଅଭିନୟ ପାଇଁ ଅଫର କରିଥିଲେ । ହେଲେ ବିଜ୍ଞାପନ ଶୁଟିଂ ସମୟରେ ଶିଳ୍ପାଙ୍କ ମାଆ ତାଙ୍କ ପାଖରେ ଥିବାରୁ ତାଙ୍କ ଝିଅ ଅଭିନୟ କରିବେ ନାହିଁ ବୋଲି ସେ ସିଧା ସିଧା ମନା କରି ଦେଇଥିଲେ । କାରଣ ଥିଲା ସେତେବେଳେ ଶିଳ୍ପାଙ୍କୁ ହୋଇଥିଲା ମାତ୍ର ୧୭ ବର୍ଷ । ଏପଟେ ଶିଳ୍ପା କହିଥିଲେ ଅଭିନୟ କରିବାକୁ ମୋ ବାପା ମୋତେ ଅନୁମତି ଦେବେ ନାହିଁ । ଏହାପରେ ଦିଲିପ ନାଇକ ଶିଳ୍ପାଙ୍କ ଘରେ ପହଞ୍ଚିବା ସହ ସେ ଆକ୍ଟିଂ କରନ୍ତୁ ବୋଲି ତାଙ୍କ ପିତାଙ୍କୁ ବୁଝାଇଥିଲେ । ଏହାପରେ ରତନ ଜୈନ ଓ ଅବ୍ୱାସଙ୍କ ଫୋନ ଆସିଥିଲା ଶିଳ୍ପାଙ୍କ ନିକଟକୁ । ତେବେ ଏଥର ସେ ଅଭିନୟ କରିବାକୁ ହଁ କରିଦେଇଥିଲେ ସତ ହେଲେ ଥିଲା ଏକ ସର୍ତ୍ତ । ତାହା ହେଉଛି ସ୍କ୍ରିନରେ ସେ କିସିଂ ସିନ୍ କରିବେ ନାହିଁ ବୋଲି କହିଥିଲେ । ତେବେ ଫିଲ୍ମରେ ଆଦୌ କିସିଂ ସିନ୍ ନାହିଁ ବୋଲି ନିର୍ମାତା ସ୍ପଷ୍ଟ କରିଥିଲେ । ଏହାପରେ ଶିଳ୍ପା ରାତାରାତି ପାଲଟି ଯାଇଥିଲେ ଷ୍ଟାର ।

Share